କାର୍ତ୍ତିକ ମାସରେ ଚଳ ଚଞ୍ଚଳ ପ୍ରସିଦ୍ଧ ଶୈବପୀଠ ମହାବିନାୟକ, କୋଭିଡ କଟକଣା ମଧ୍ୟରେ ଚାଲିଛି ଦର୍ଶନ

Published By : Prameya-News7 Bureau | November 09, 2021 IST

ଚଣ୍ଡିଖୋଲ ୦୯/୧୧ : ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଦର୍ପଣଗଡ଼ ବାରୁଣବନ୍ତ ଜଙ୍ଗଲରେ ଅଛି ମହାବିନାୟକ ଶୈବପୀଠ। ପୀଠରେ ବହୁ କାଳରୁ ପଞ୍ଚଦେବତା, ଭଗବାନ ଶିବ, ମାତା ପାର୍ବତୀ ଭାସ୍କର, ଗଣେଶ, ବିଷ୍ଣୁ ପୂଜା ପାଉଛନ୍ତି। କାର୍ତ୍ତିକ ମାସରେ ପୀଠରେ ଭକ୍ତଙ୍କ ଭିଡ ଲାଗେ। ଏଠାରେ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ଇତିହାସ କହେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ଜଙ୍ଗଲରେ ରହିଥିଲେ। ଏଠାରେ ଥିବା ଭୀମ ଚୁଲି ଏହାର ପ୍ରମାଣ ଯେଉଁଥିରେ ଭୀମ ରୋଷେଇ କରୁଥିଲେ। ପାଣ୍ଡବ କୌରବ ଯୁଦ୍ଧ ସମୟରେ ମାତା କୁନ୍ତୀ ପାଣ୍ଡବଙ୍କ ବିଜୟ ପାଇଁ ଏହି ମନ୍ଦିରରେ ଲକ୍ଷେ ୮ ବେଲପତ୍ର ଅର୍ପଣ କରିଥିଲେ । କଳିଯୁଗରେ ଦର୍ପଣଗଡ଼ ରାଜା ରାଜୁତି ସମୟରେ ଗୋଟିଏ କଳା ଗାଈ ପ୍ରତ୍ୟେକ ଦିନ ଚାରିବାକୁ ଆସି ଏହି ପଥର ଉପରେ କ୍ଷୀର ଦେଉଥିବାରୁ ଗାଈ ଚରାଳୀ ଏକଥା ରାଜାଙ୍କୁ ଜଣାଇଥିଲେ। ରାଜା ସେଠାରେ ପହଞ୍ଚି ଦେଖିଲେ ସେହି ପଥର ଉପରେ ଅନେକ ନାଗସାପ ଶୋଇଛନ୍ତି। ସେହି ଦିନ ରାତିରେ ରାଜାଙ୍କୁ ସ୍ବପ୍ନରେ ନିର୍ଦ୍ଦେଶ ଆସିଥିଲା ଯେ ମହାବିନାୟକ ନାଁରେ ଦେବ ପୂଜା ପାଆନ୍ତି।

ଚଣ୍ଡିଖୋଲ ଛକରୁ ଅନତି ଦୂରରେ ଅବସ୍ଥିତ ମହାବିନାୟକ ଶୈବପୀଠ। ଏଠାକାର ମନୋରମ ପରିବେଶ ଶ୍ରଦ୍ଧାଳୁଙ୍କୁ ଏଠାକୁ ଟାଣି ଆଣିଥାଏ। ପବିତ୍ର କାର୍ତ୍ତିକ ମାସରେ କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ଦେଖିବାକୁ ମିଳେ। ଏହି ମନ୍ଦିରରେ ମୋଟ ୫୦ ଜଣ ସେବାୟତ ରହିଥିବା ବେଳେ କରୋନାରେ ବେଶ ପ୍ରଭାବିତ ହୋଇଥିଲେ। ଏବେ ଭକ୍ତ ଆଗମନ ହେଉଥିବାରୁ ଧୀରେ ଧୀରେ ସେବାୟତଙ୍କ ସ୍ଥିତି ମଧ୍ୟ ସୁଧୁରିଛି।

କାର୍ତ୍ତିକ ମାସରେ ପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେଉଛି। କରୋନା କଟକଣା ସହ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ କେଉଁଭଳି ଭାବେ ଶାନ୍ତି ଶୃଙ୍ଖଳାରେ ମହାଦେବଙ୍କ ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମନ୍ଦିର ସମୁଖରେ ବ୍ୟବସାୟୀମାନେ ଭଲ ଦି ପଇସା ରୋଜଗାର କରିବା ଲକ୍ଷ୍ୟରେ ପସରା ମେଲି ବସିଛନ୍ତି। କରୋନା କଟକଣା ହଟିବା ପରେ ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ଭକ୍ତିମୟ ହୋଇପଡିଛି।

wp:embed {"url":"https://youtu.be/w530BjBM4wY","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/w530BjBM4wY
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.