ବୟସ ୧୨, ଶ୍ରେଣୀ ୭ମ ; ମହାଭାରତକୁ ହିନ୍ଦୀରୁ ଓଡ଼ିଆରେ କଲେ ଅନୁବାଦ

Published By : Prameya-News7 Bureau | August 26, 2020 IST

ବଡ଼ଚଣା ୨୬।୦୮: ବ୍ୟାସଦେବଙ୍କ ରଚିତ ମହାଭାରତ ଏବଂ ମହାଭାରତର ଘଟିଥିବା ଘଟଣାବଳୀକୁ କିଏ ବା ନଜାଣେ । ମହାଭାରତରେ ଘଟିଥିବା ପ୍ରତିଟି ଘଟଣାବଳୀ ଜାଣିବା ପାଇଁ ବିଭିନ୍ନ ଭାଷାରେ ପ୍ରକାଶିତ ହୋଇଛି । ବ୍ୟାସଦେବ ମହାଭାରତକୁ ସଂସ୍କୃତରେ ଲେଖିଥିଲେ । କବି ସାରଳା ଦାସ ଓଡ଼ିଆରେ ଅନୁବାଦ କରିଥିଲେ । ଏବେ କିନ୍ତୁ ଜଣେ ୧୨ବର୍ଷର ବାଳକ ଗୁଗୁଲ୍‌ରୁ ହିନ୍ଦୀ ମହାଭାରତ ଖୋଜି ଓଡ଼ିଆରେ ଅନୁବାଦ କରି ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବଡ଼ଚଣା ବ୍ଲକ୍‌ ଖରମଙ୍ଗୀ ଗ୍ରାମର ଚନ୍ଦ୍ରକାନ୍ତ ସାହୁ ଓ ଜୟଶ୍ରୀ ସାହୁଙ୍କ ପୁତ୍ର ଉଦୟ ଏଭଳି ପାରଦର୍ଶିତା ଦେଖାଇଛନ୍ତି ।

କରୋନା ମହାମାରୀ ସମୟରେ ସମସ୍ତେ ଲକ୍‌ଡାଉନକୁ ନେଇ ଚିନ୍ତିତ ଥିଲେ । ଏହି ସମୟରେ ବିଦ୍ୟାଳୟ ବନ୍ଦ ଥିବାରୁ ସରକାର ପିଲାମାନଙ୍କୁ ଅନ୍‌ଲାଇନରେ ପାଠ ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଉଦୟ ସ୍ଥାନୀୟ ଶ୍ରୀ ଅରବିନ୍ଦ ନୋଡାଲ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର । ସେ ଜଣେ ମେଧାବୀ ଛାତ୍ର । ଆଧ୍ୟାତ୍ମିକ ଦିଗ ପ୍ରତି ତାଙ୍କର ଆକର୍ଷଣ ରହିଛି । ଚିତ୍ରାଙ୍କନ, ସୁଲିଖନ, ପ୍ରବନ୍ଧ ଆଦି ପ୍ରତିଯୋଗିତାରେ ଜିଲ୍ଲସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି । ଲକ୍‌ଡାଉନ୍‌ ସମୟରେ ବାହାରକୁ ନଯିବା ଓ କାହା ସହିତ ନମିଶିବାକୁ ପରାମର୍ଶ ଦିଆଯାଇଥିବାରୁ ପାଠ ପଢ଼ିବା ପରେ ବିରକ୍ତ ହୋଇଯାଉଥିଲେ । ଉଦୟଙ୍କର ଆଧ୍ୟାତ୍ମିକ ଦିଗ ପ୍ରତି ଆକର୍ଷଣ ଥିବାରୁ ସେ ସବୁବେଳେ ଗୁଗୁଲ୍‌ରୁ ଆଧ୍ୟାତ୍ମିକ ବିଷୟରେ ପଢ଼ା ପଢ଼ି କରନ୍ତି । ବିଶେଷ କରି ଉଦୟଙ୍କୁ ମହାଭାରତର ଅର୍ଜୁନଙ୍କ ଚରିତ୍ର ଭଲ ଲାଗୁଥିବାରୁ ସେ ମହାଭାରତ ଦେଖିବାକୁ ଭଲ ପାଆନ୍ତି । ୨୫୦ପୃଷ୍ଠାର ମହାଭାରତକୁ ଉଦୟ ଏକ ମାସ ମଧ୍ୟରେ ଓଡ଼ିଆରେ ଅନୁବାଦ କରିଛନ୍ତି । ଶାରୀରିକ ଅସୁସ୍ଥତା ସତ୍ତେ୍ୱ ପଦ ଏବଂ ଛନ୍ଦର ଯୁଗଳବନ୍ଦୀକୁ ଅତି ସୁନ୍ଦର ଭାବେ କଲମ ମୁନରେ ଲେଖିଛନ୍ତି ଉଦୟ । ତେବେ ଏହି କୃତିତ୍ୱ ପାଇଁ ସେ ଏବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ରାମାୟଣକୁ ଓଡ଼ିଆରେ ଅନୁବାଦ କରିବା ପାଇଁ ଲକ୍ଷ୍ୟ ରଖିଥିବା ଉଦୟ କହିଛନ୍ତି ।

ସୂଚନା ଥାଉକି, ଉଦୟ ତିନି ବର୍ଷ ହେଲ କୀଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ବାପା ଚନ୍ଦ୍ରକାନ୍ତ ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ମାଆ ଜୟଶ୍ରୀ ଭୁଷଣ୍ଡପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ । ଉଦୟଙ୍କର ପିଲାବେଳୁ ଆଧ୍ୟାତ୍ମିକ ଦିଗ ପ୍ରତି ଆକର୍ଷଣ ଥିଲା । ଶ୍ଳୋକ ଆବୃତ୍ତି କରିବା, ଭଜନ ଗାଇବା, ଭଗବାନଙ୍କ ଚିତ୍ର କରିବା ଦିଗରେ ବେଶି ଧ୍ୟାନ ଦିଏ ବୋଲି ତାଙ୍କ ମାଆ ଜୟଶ୍ରୀ କହିଛନ୍ତି । ଉଦୟଙ୍କ ଏହି ଓଡ଼ିଆ ଅନୁବାଦକୁ ମାନ୍ୟତା ଦେବାପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.