ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ; ପଶ୍ଚିମ ଓଡ଼ିଶା ମହାବନ୍ଦର ଆଜି ଦ୍ବିତୀୟ ଦିନ, ୭ଟି ଜିଲ୍ଲା ଠପ୍

Published By : Prameya-News7 Bureau | November 30, 2018 IST

ସମ୍ବଲପୁର ୩୦|୧୧:  ପଶ୍ଚିମ ଓଡ଼ିଶା ମହାବନ୍ଦର ଆଜି ଦ୍ବିତୀୟ ଦିନ । ପଶ୍ଚିମ ଓଡ଼ିଶାର ୭ଜିଲ୍ଲା ଠପ୍ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୪୮ ଘଣ୍ଟିଆ ମହାବନ୍ଦ ପାଳନ କରୁଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ । ଏହାର ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ, ଗାଡ଼ିମୋଟର ଚଳାଚଳ ବ୍ୟାହତ ହୋଇଛି । ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାବାସୀ ବନ୍ଦରେ ସାମିଲ ହୋଇଛନ୍ତି । ହେଲେ ଦୂରେଇ ରହିଛି ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୮୦ ଦିନରୁ ଅଧିକ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଆଭିମୁଖ୍ୟ କଡ଼ା କରିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ । ପୂର୍ବରୁ କେବଳ ଓକିଲଙ୍କ ଆନ୍ଦୋଳନରେ ସୀମିତ ଥିବା ଏହି ଦାବି ଏବେ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗତକାଲି ସକାଳୁ ସକାଳୁ ଶହ ଶହ ଲୋକ  ରେଳ ରୋକକରିଥିଲେ । ସେହିପରି ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ ଏବଂ ବେସରକାରୀ ଅଫିସକୁ ପିକେଟିଂ କରି ବନ୍ଦ କରିଥିଲେ ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ ପୂରା ଠପ୍ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ କଡ଼ା ସମାଲୋଚନା କରିଛନ୍ତି ଆନ୍ଦୋଳନକାରୀ । ଏହି ଜନ ଆନ୍ଦୋଳନକୁ ଦଳମତ ନିର୍ବିଶେଷରେ ମିଳିଛି ସମର୍ଥନ । ଶନିବାର ସକାଳ ୬ଟା ଯାଏଁ ଜାରି ରହିବ ମହାବନ୍ଦ । ଏହା ପରେ ଯଦି କେନ୍ଦ୍ର କିମ୍ବା ରାଜ୍ୟ କିଛି ପଦକ୍ଷେପ ନନିଅନ୍ତି, ତେବେ ଆଗକୁ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.