ଆତ୍ମନିର୍ଭର ଭାରତର ଉଦାହରଣ ସମିମ୍, ଫୋଲ୍ଡିଂ ଚେୟାର ଖୋଲିଲେ ବସିବେ ୫ ଜଣ

Published By : Prameya-News7 Bureau | September 12, 2020 IST

ଝାରସୁଗୁଡା, ୧୨|୦୯:   ଚୀନ ସହ ଭାରତର ସମ୍ପର୍କରେ ତିକ୍ତତା ଆସିବା ପରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତ ଗଠନ ପାଇଁ ଆହ୍ବାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ସାଧାରଣ ଲୋକ ଚୀନ ସାମଗ୍ରୀ ବର୍ଜନ କରିବାକୁ ମଧ୍ୟ ବିଭିନ୍ନ ମହଲରୁ କୁହାଯାଉଛି । ଏହି ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବାକୁ ଝାରସୁଗୁଡା ସହରର ମହମ୍ମଦ ସମିମ ଆଗେଇ ଆସିଛନ୍ତି । ନିଜେ ନିର୍ମାଣ କରିବା ଆରମ୍ଭ କରିଛନ୍ତି ଚାଇନା ସାମଗ୍ରୀ ଭଳି ଅତ୍ୟାବଶ୍ୟକ ଆସବାବପତ୍ର।

ଆତ୍ମନିର୍ଭରଶୀଳ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆଗଭର ହୋଇଛନ୍ତି ଝାରସୁଗୁଡା ମଙ୍ଗଳବଜାର ଅଞ୍ଚଳର ମହମ୍ମଦ ସମିମ ।  ନିଜ ପାଖରେ ବଡ ପୁଞ୍ଜି ନାହିଁ, କିନ୍ତୁ ରହିଛି ଦୃଢ ଆତ୍ମବିଶ୍ୱାସ । ଯେଉଁଥିପାଇଁ ସେ କହୁଛନ୍ତି ହଁ ମୁଁ କରି ପାରିବି । ତେଣୁ ଆରମ୍ଭ କରିଛନ୍ତି କ୍ଷୁଦ୍ରଶିଳ୍ପ । ମଙ୍ଗଳବଜାର ଅଞ୍ଚଳରେ ଏକ କୁଡିଆ ଘରେ ନିଜ ପରିବାର ସହ ରହୁଥିବା ସମିମ୍ ସେହି ଘର ଅଗଣାରେ ଆରମ୍ଭ କରିଛନ୍ତି ନିଜେ ପ୍ରସ୍ତୁତ କରୁଥିବା ସାମଗ୍ରୀର କାର୍ଯ୍ୟ । ଆଉ ସେଠାରୁ ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି କରୁଛନ୍ତି ଝାରସୁଗୁଡା ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ । ସମିମ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆକୃଷ୍ଟ ହୋଇ ନିଜେ ପ୍ରସ୍ତୁତ କରୁଛନ୍ତି ଚୀନ୍ ବଜାରରୁ ଆସୁଥିବା ମ୍ୟାଜିକ୍ ଚେୟାର୍ । ଏହି ଚେୟାର ଦେଖିବାକୁ ଗୋଟିଏ ବାକ୍ସ ଭଳି । କିନ୍ତୁ ତାକୁ ଖୋଲିଲେ ସେଥିରୁ ବାହାରୁଛି ୫ଟି ଚେୟାର୍ । ଯାହା ଦେଖିବାକୁ ସୁନ୍ଦର ଓ ଘରେ ରଖିବାକୁ ଆବଶ୍ୟକ କମ୍ ସ୍ଥାନ । ଏଥିପାଇଁ ଲୁହା ପାଇପକୁ କାଟି ତାକୁ ଓଲ୍ଡିଂ କରି ସେଥିରେ ପ୍ଲାଏ ଓ ରେକଜିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରସ୍ତୁତ ହୋଇଚି ଏହି ମ୍ୟାଜିକ୍ ଚେୟାର ।

{"id":328637,"width":703,"height":422,"sizeSlug":"large"}

ସମିମଙ୍କ ଏଭଳି ପ୍ରୟାସରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ତାଙ୍କ ଧର୍ମପତ୍ନୀ ସିମରନ୍ । ଆତ୍ମନିର୍ଭର ହେବାକୁ ନିଜର ଉଦ୍ୟମ ଆରମ୍ଭ କରି ଆଗାମୀ ୮ ଦିନରେ ଚୀନରୁ ଆସୁଥିବା ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ଶସ୍ତାରେ ଝାରସୁଗୁଡା  ଗ୍ରାହକଙ୍କୁ ଯୋଗାଇବା ସହ ତାଙ୍କୁ ସହଯୋଗ ମିଳିଲେ ସେ ବିଶ୍ୱ ବଜାରରେ ନିଜର ବ୍ୟବସାୟ କରି ପାରିବେ ବୋଲି କହିଛନ୍ତି ସମିମ୍ |

ଆତ୍ମନିର୍ଭର ଭାରତ, ଷ୍ଟାଟ୍ ଅପ୍ ଇଣ୍ଡିଆ ଭଳି ଯୋଜନା କରି ନୁଆ ଶିଳ୍ପୋଦ୍ୟୋଗୀ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖି ସରକାର କାର୍ଯ୍ୟ କରୁଥିବା ବେଳେ ଚୀନକୁ ମାତ୍ ଦେବା ବର୍ତ୍ତମାନର ଆବଶ୍ୟକତା ପାଲଟିଛି । ଝାରସୁଗୁଡା ସହରରେ ପ୍ରସ୍ତୁତ ହେଉଥିବା ଚାଇନା ବଜାରର ମ୍ୟାଜିକ୍ ଚେୟାର୍ ମିଳିବା ପରେ ଗ୍ରାହକଙ୍କ ଚାହିଦା ମଧ୍ୟ ବଢୁଛି । ଏଥିସହ ଝାରସୁଗୁଡା ସହରରେ ସମୀମ୍ ଙ୍କ ପରି ଆହୁରି ଅଧିକ ଯୁବକ ଯୁବତୀ ଏଭଳି ନୁତନ ସାମଗ୍ରୀ ପ୍ରସ୍ତୁତ କଲେ ସେମାନଙ୍କୁ ବିକ୍ରି ପାଇଁ ମାର୍କେଟର ବ୍ୟବସ୍ଥା ସହ ଅନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବାକୁ କ୍ଷୁଦ୍ରଶିଳ୍ପୋଦ୍ୟୋଗୀ ସଂଘ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.