ମାଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପ୍ୟାକିଂ ସମୟରେ ଲାଳ ବ୍ୟବହାର କରନ୍ତୁନାହିଁ

Published By : Prameya-News7 Bureau | June 09, 2021 IST

ଚେନ୍ନାଇ ୯/୬:  ଖାଦ୍ୟ ପଦାର୍ଥ ପ୍ୟାକିଂ କରୁଥିବା ସମସ୍ତ ପ୍ରତିଷ୍ଠାନକୁ କୋର୍ଟ ରୋକଠୋକ ଶୁଣାଇଛନ୍ତି। କୋର୍ଟଙ୍କ ନିର୍ଦେଶାନୁସାରେ ବ୍ୟବସାୟୀ, ହୋଟେଲ, ବେକରୀ ଏବଂ ଅନ୍ୟ ସଂସ୍ଥା କୌଣସି ସାମଗ୍ରୀ ଡେଲିଭରି ସମୟରେ ଲାଳ ବ୍ୟବହାର କରିପାରିବେ ନାହିଁ । ପ୍ୟାକିଂ ପାଇଁ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍‌ କଭର ଉପରେ ଲାଳ ନଲଗାଇବକୁ ମାଡ୍ରାସ୍‌ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ପ୍ଲାଷ୍ଟିକ୍‌ କଭର ଖୋଲିବା ପାଇଁ ମଧ୍ୟ ଫୁଙ୍କିପାରିବେ ନାହିଁ କର୍ମଚାରୀ। ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ୍‌ ସୌନ୍ଥିଲକୁମାର ରାମମୂର୍ତ୍ତୀଙ୍କ ଖଣ୍ଡପୀଠ ଏନେଇ ରାୟ ପ୍ରକାଶ କରିଛନ୍ତି । ତେରୁଞ୍ଚେଦୁରର ଜଣେ ଓକିଲ ଆବେଦନ କରିଥିବା ଜନହିତ ଆବେଦନକୁ ଗ୍ରହଣ କରିବା ସହ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ପ୍ୟାକିଂ ସାମଗ୍ରୀକୁ ନେଇ ଜନ ଜାଗରଣର ଆବଶ୍ୟକତା ଥିବା ନେଇ ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ।

ତାଙ୍କ ଅନୁସାରେ ପ୍ୟାକିଂ କରାଯାଉଥିବା କଭରକୁ ଅଲଗା କରିବା ପାଇଁ ଲାଳ ବ୍ୟବହାର କରାଯାଉଛି। ଏହା ଦ୍ବାରା କୋଭିଡ-୧୯ ବ୍ୟାପିବାର ଭୟ ରହିଛି। ଭଲ ପରାମର୍ଶ କରିଥିବା ନେଇ କୋର୍ଟ ଆବେଦନକାରୀଙ୍କୁ ପ୍ରଶଂସା କରିଥିବା  ବେଳେ ଏନେଇ ସଚେତନା ସୃଷ୍ଟି କରିବାକୁ ପ୍ରୟାସ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.