୪୮ ଘଣ୍ଟାରେ କଂଗ୍ରେସ ହାତରୁ ଖସିଯିବ ମଧ୍ୟପ୍ରଦେଶ! ମୋଦୀଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
10/03/2020 at 10:39 AM

ଭୋପାଳ, ୧୦|୦୩: ମଧ୍ୟପ୍ରଦେଶରେ ଶାସନାଧିନ କଂଗ୍ରେସ ସରକାର ପାଇଁ ଅଡୁଆ ବଢିବାରେ ଲାଗିଛି। ଦଳରୁ ଅସନ୍ତୋଷ ହୋଇ ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ଚର୍ଚ୍ଚାକୁ ଆହୁରି ଜୋର କରିଛନ୍ତି। ମଙ୍ଗଳବାର ସିନ୍ଧିଆ ମୋଦୀଙ୍କୁ ଅମିତ ଶାହଙ୍କ ସହ ସାକ୍ଷାତ କରିଥିବା କୁହାଯାଉଛି।

ବିଜେପିର କହିବାନୁସାରେ, ଜ୍ୟୋତିରାଦିତ୍ୟଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରୟାସ କରାଯାଉଛି। କମଲନାଥଙ୍କ ସରକାର ୪୮ ଘଂଟା ମଧ୍ୟରେ ଭାଙ୍ଗିଯିବ ବୋଲି ବିଜେପି କହିଛି। ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇପାରନ୍ତି। ଏପରି ୨୦ଜଣ ବିଧାୟକ ଇସ୍ତଫା ଦେବା ନେଇ ଆଲୋଚନା ହେଉଛି। ଯଦି ଏପରି ହୁଏ ତେବେ ବହୁମତଠୁ ଦୂରରେ ରହିଯିବ। ଏହାପରେ ଶିବରାଜ ସିଂ ଚୌହ୍ୱାନ ସରକାର ଗଠନ ଲାଗି ଦାବି ଉପସ୍ଥାପନା କରିପାରନ୍ତି।
ସିନ୍ଧିଆଙ୍କୁ କଣ ମିଳିବ
ଯଦି ସିନ୍ଧିଆ ବିଜେପିରେ ସାମିଲ ହୁଅନ୍ତି ତେବେ ଦଳରେ ତାଙ୍କ ଭୂମିକା କଣ ହେବ ବୋଲି ପ୍ରଶ୍ନ ଉଠୁଛି। ତେବେ ତାଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ଯୋଜନା କରୁଥିବା ଜଣେ ବିଜେପି ନେତା କହିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ରହିଛି। ଏହା ମଧ୍ୟରୁ ୨ଜଣ ବିଧାୟକଙ୍କ ଦେହାନ୍ତ ହୋଇଯାଇଛି। ଫଳରେ ମୋଟ ଆସନ ୨୨୮ ହୋଇଯାଇଛି। କଂଗ୍ରେସ ପାଖରେ ୧୧୪ଜଣ ବିଧାୟକ ରହିଛନ୍ତି। ଦଳକୁ ବହୁମତ ପାଇଁ ୧୧୫ଜଣ ବିଧାୟକଙ୍କ ସମର୍ଥନ ଦରକାର। ଏବେ କଂଗ୍ରେସ ୪ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ସମାଜବାଦୀ ପାର୍ଟୀର ବିଧାୟକଙ୍କ ସମର୍ଥନରେ ରହିଛି। ତେବେ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି।