ମଧ୍ୟପ୍ରଦେଶ ୩୦/୦୬: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜମି ବିବାଦରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଆଉ କେହି ନୁହେଁ ମହିଳାଙ୍କ ସ୍ୱାମୀଙ୍କ ବଡ଼ ଭାଇର ପୁଅ। କେବଳ ଏତିକି ନୁହେଁ, ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମହିଳାଙ୍କ ପୁଅକୁ ଫୋନ୍ କରି କହିଛି ଯେ ତୁମ ମା କ୍ଷେତରେ ପଡ଼ିଛି, ଉଠାଇ ନେଇଯାଅ।
ବାସ୍ତବରେ, ଏହି ମାମଲା ସମସାବାଦ ପୋଲିସ ଷ୍ଟେସନ ଅନ୍ତର୍ଗତ ସିଙ୍ଘା ଖେଡି ଗାଁର । ଯେଉଁଠାରେ ବିମଲା ବାଇ କୁଶୱାହ ନାମକ ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ଗାଁ ଛାଡି ଅନ୍ୟ ଏକ ଗାଁରେ ଦୁଇ ପୁଅଙ୍କ ସହ ରହୁଥିଲେ। ସେଠାରେ ମହିଳା ଦ୍ୱିତୀୟ ଥର ବିବାହ କରିଥିଲେ, କିନ୍ତୁ ପ୍ରଥମ ସ୍ୱାମୀଙ୍କ ଜମିକୁ ନେଇ ବିବାଦ ଦେଖାଦେଇଥିଲା। ସେ କ୍ଷେତରେ ପହଞ୍ଚିବା ପରେ ତାଙ୍କର ପ୍ରଥମ ସ୍ୱାମୀଙ୍କ ବଡ ଭାଇର ପୁଅମାନେ ତାଙ୍କୁ ହତ୍ୟା କରିଛନ୍ତି।
ମୃତକ ମହିଳାଙ୍କ ବଡ ପୁଅ ଅମନ କହିଛନ୍ତି, କିଛି ଦିନ ପୂର୍ବେ, ମା ନିଜ ଅଂଶର ଜମିରେ ଫସଲ ବୁଣିଥିଲେ, କିନ୍ତୁ ଆମ ବଡବାପାଙ୍କ ପୁଅମାନେ ସେହି ଜମିର ଫସଲ ନଷ୍ଟ କରିଦେଇଥିଲେ । ଏହି ସୂଚନା ପାଇବା ମାତ୍ରେ ଆମେ ମା’ଙ୍କ ସହ ଗାଁକୁ ଆସିଥିଲୁ । ବଡ ପୁଅ ଅମନ ଆହୁରି ମଧ୍ୟ କହିଛନ୍ତି ଯେ ମା କ୍ଷେତରେ ପହଞ୍ଚିବା ମାତ୍ରେ ତାଙ୍କୁ ମାଡ଼ ମାରି ଛୁରୀରେ ଆକ୍ରମଣ କରାଯାଇଥିଲା। ଏହା ପରେ ବଡବାପାଙ୍କ ପୁଅ ଆମକୁ ଫୋନ୍ କରି କହିଲେ ଯେ ତୁମ ମା କ୍ଷେତରେ ପଡ଼ିଛି ନେଇଯାଅ । ଏହା ପରେ ଆମେ ପୋଲିସକୁ ଡାକିଥିଲୁ । ଆମେ ମାଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ମାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସମସାବାଦ ଥାନା ଅଧିକାରୀ କହିଛନ୍ତି ଯେ ୩୨ ବର୍ଷିୟା ବିମଲା ବାଇ କୁଶୱାହଙ୍କୁ ଆକ୍ରମଣ କରାଯାଇଛି ବୋଲି ଆମେ ଡାଏଲ ୧୦୦ ରୁ ସୂଚନା ପାଇଛୁ। ତାଙ୍କୁ ଡାକ୍ତରଖାନାକୁ ଆଣୁଥିବା ସମୟରେ ରାସ୍ତାରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇଟି ପୁଅ ଅଛନ୍ତି। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି।