ଓଡିଆ ଝିଅଙ୍କୁ ମଧ୍ୟପ୍ରଦେଶରେ ବିକିଛୁ… ଯୁବତୀ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୩ ଗିରଫ, ଚାକିରି ନାଁରେ ୪ଟି ରାଜ୍ୟର ଯୁବତୀଙ୍କୁ ଠକିଛନ୍ତି

Published By : Prameya-News7 Bureau | October 21, 2020 IST

ରାଇରଙ୍ଗପୁର ୨୧।୧୦: ଚାକିରି ଯୋଗାଇଦେବା ନାଁରେ ଚାଲିଛି ଯୁବତୀ ଚାଲାଣ ।  ଲକ୍ଷ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ଅନ୍ୟ ରାଜ୍ୟରେ ବିକ୍ରି କରୁଛନ୍ତି ଦଲାଲ । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଦୁଇଜଣ ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରିବା ପରେ ଯୁବତୀ ଚାଲାଣ ରାକେଟର ପର୍ଦାଫାସ ହୋଇଛି ।

{"id":348083,"sizeSlug":"large"}

ଗତ ସେପ୍ଟେମ୍ବର ୧୬ରେ ଜଣେ ଦଲାଲ ଦୁଇ ଜଣ ଯୁବତୀଙ୍କୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାମ ଯୋଗେଇଦେବାର ପ୍ରଲୋଭନ ଦେଖାଇ ଥିଲେ । ପରେ ଦୁଇ ଯୁବତୀଙ୍କୁ ଝାଡ଼ଖଣ୍ଡ ରାଜ୍ୟ ଟାଟା ରେଲୱେ ଷ୍ଟେସନରୁ ଦିଲ୍ଲୀକୁ ଟ୍ରେନ ଯୋଗେ ନେଇଥିଲେ । ସେଠାରୁ ମଧ୍ୟପ୍ରଦେଶର ସେଓପୁର ସହରକୁ ନେଇ ରାକେଟର ମାଷ୍ଟର ମାଇଣ୍ଡ ମହିଳାଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟ ପାଇଁ ଦଲାଲ ମାନଙ୍କୁ ୨୦ ହଜାର ମିଳିଥାଏ ।  ମହିଳା ଜଣକ ଯୁବତୀମାନଙ୍କୁ ଏକ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଝିଅଙ୍କ ସହ ଯୋଗାଯୋଗ ବିଛିନ୍ନ କରାଯିବାରୁ ପରିବାର ଲୋକଙ୍କ ସନ୍ଦେହ ପ୍ରକାଶ ହେବା ପରେ ଥାନାରେ ଏତଲା ଦେଇଥିଲେ ।

ଗୋରୁମହିଶାଣି ପୋଲିସ ଓ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ମୋବାଇଲ ଟ୍ରାକିଂ ଜରିଆରେ ମଧ୍ୟପ୍ରଦେଶର ସେଓପୁର ଅଞ୍ଚଳକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।  ପରେ ୩ ଜଣ ଦଲାଲ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ଗୋପିବଲ୍ଲବପୁର ଥାନା ଅଞ୍ଚଳର ରାକେଶ ରଣା , ସୁରଜ କୁଲିଆ ଓ ଦୀପକ ରଣାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

ପଶ୍ଚିମବଙ୍ଗ ର ଏହି ତିନି ଦଲାଲ ପୂର୍ବରୁ ଓଡିଶା ,ଝାଡଖଣ୍ଡ ,ପଶ୍ଚିମବଙ୍ଗ ଓ ଛତିଶଗଡ଼ ଅଂଚଳର ୨୦ଜଣ ଯୁବତୀଙ୍କୁ ମଧ୍ୟପ୍ରଦେଶ ରେ ବିକ୍ରି କରିଥିବା ସ୍ୱୀକାର କରିଛନ୍ତି । ମଧ୍ୟପ୍ରଦେଶ ରେ ରହି ଦଲାଲ ମାନଙ୍କ ଠାରୁ ଯୁବତୀ କିଣୁଥିବା ରାକେଟର ମାଷ୍ଟର ମାଇଣ୍ଡ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଂଚଳର ବୋଲି ଜଣାପଡିଛି। ବିଭିନ୍ନ ରାଜ୍ୟରୁ ଯୁବତୀ ମାନଙ୍କୁ ଚାଲାଣ କରାଯାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ମାଷ୍ଟର ମାଇଣ୍ଡ ମହିଳାଙ୍କୁ ମଧ୍ୟ ଖୁବଶୀଘ୍ର ଧରିବ ବୋଲି ମୟୁରଭଂଜ ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.