କିଏ ହେବେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ତୋମାର ନା ଶିବରାଜ ? କାହାକୁ ସମର୍ଥନ କରନ୍ତି ସିନ୍ଧିଆ ?
22/03/2020 at 5:37 PM

ଭୋପାଳ, ୨୨|୦୩: ମଧ୍ୟ ପ୍ରଦେଶରେ କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ନେତା ଓ ବିଧାୟକ ଖୁସ୍ ଅଛନ୍ତି। ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଯାଇଛି। ସୋମବାର ବିଜେପି ବିଧାୟକମାନେ ନିଜ ନେତା ବାଛିବା ପରେ ନବରାତ୍ରିର ପ୍ରଥମ ଦିନରେ ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ପାଇବ ବୋଲି ଅନୁମାନ କରାଯାଉଛି।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ, ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା, ଏ ସମସ୍ତ ଅପରେସନ ଦିଲ୍ଲୀରୁ ନିୟନ୍ତ୍ରଣ ହେଉଥିଲା। ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମଧ୍ୟ ବିଜେପିର କେନ୍ଦ୍ର ନେତାମାନେ ସ୍ଥିର କରିବେ ବୋଲି କୁହାଯାଉଛି। କେଉଁ ଗୋଟିଏ ନାମକୁ ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ସବୁଜ ପତାକା ଦେଖାଇ ନାହାଁନ୍ତି। କିନ୍ତୁ ତିନୋଟି ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓ ସମସ୍ତ ଅପରେସନର ସୂତ୍ରଧର ନରୋତ୍ତମ ମିଶ୍ରଙ୍କ ନାମକୁ ନେଇ ଆଲୋଚନା ହେଉଚି।

ମଧ୍ୟ ପ୍ରଦେଶରେ ଏବେ ବି ଶିବରାଜଙ୍କ ସମର୍ଥକ ପଛକୁ ହଟିବାକୁ ନାରାଜ। ତେବେ ତାଙ୍କ ବିରୋଧୀ ମଧ୍ୟ ବିଜେପିରେ କମ ନାହାଁନ୍ତି। ତାଙ୍କ ସ୍ଥାନରେ ରାଜ୍ୟ ନେତୃତ୍ୱ ଆଉ କାହାକୁ ଦେବାକୁ ସେମାନେ ଅଡି ବସିଛନ୍ତି। ବିଧାନସଭା ନିର୍ବାଚନର ଫଳାଫଳ ପରେ ଶିବରାଜଙ୍କୁ ମଧ୍ୟପ୍ରଦେଶ ରାଜନୀତିରୁ ଅଲଗା କରି କେନ୍ଦ୍ର ରାଜନୀତିକୁ ଦଳ ଆଣିଥିଲା। କିନ୍ତୁ ସେ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଶାସନିକ ଦକ୍ଷତା ମଧ୍ୟ ତାଙ୍କର ରହିଛି। ତେବେ ନରେନ୍ଦ୍ର ସିଂ ତୋମାରଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମର୍ଥନ କରୁଥିବା ସୂଚନା ମିଳିଛି।