ସଙ୍କଟରେ କଂଗ୍ରେସ, ଆଜି ରାତିରେ ମୋଦୀ-ଶାହାଙ୍କୁ ଭେଟିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ !
9/03/2020 at 8:24 PM

ଭୋପାଳ ୦୯।୦୩- ମଧ୍ୟ ପ୍ରଦେଶର କଂଗ୍ରେସ ସରକାର ଉପରେ ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଅନେକ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ କଂଗ୍ରେସ ପାଇଁ ସରକାର ବଞ୍ଚାଇବା ଏକ ବଡ ଚ୍ୟାଲେଞ୍ଜ। ଏହା ମଧ୍ୟରେ ଦଳର ୧୭ ବିଧାୟକ ବେଙ୍ଗାଲୁରୁ ପହଞ୍ଚି ସାରିଛନ୍ତି। ଏଥିରେ ଛଅ ଜଣ ମନ୍ତ୍ରୀ ମଧ୍ୟ ସାମିଲ। କଂଗ୍ରେସ ମଧ୍ୟରେ ଜାରି ଆଭ୍ୟନ୍ତରୀନ କନ୍ଦଳରେ ବିଜେପି ଶୀଘ୍ର ଫାଇଦା ଉଠାଇପାରେ।
ମଧ୍ୟ ପ୍ରଦେଶ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଆଗାମୀ କିଛି ସମୟରେ ଦେଖିବାକୁ ମିଳିପାରେ। ଅନ୍ୟପଟେ ଅସନ୍ତୁଷ୍ଟ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଦଳର ବରିଷ୍ଠ ନେତାଙ୍କ ଦ୍ଵାରା ବୁଝାସୁଝା ପରେ ମଧ୍ୟ ନରମ ହେଉ ନାହାନ୍ତି। ଅନ୍ୟପଟେ ଦିଲ୍ଲୀରେ ବିଜେପି ସହ ତାଙ୍କର ନିକଟତରତା କଂଗ୍ରେସର ଚିନ୍ତାକୁ ବଢାଇପାରେ।
ସବୁ କଳ୍ପନାଜଳ୍ପନା ମଧ୍ୟରେ ଖବର ଆସିଛି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ରାତି ୯ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ପାରନ୍ତି। ଏହି ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ରହିବେ। ଅନ୍ୟପଟେ ସିନ୍ଧିଆଙ୍କୁ ମନାଇବା ଲାଗି କଂଗ୍ରେସ ପକ୍ଷରୁ କେଉଁ ସମୟରେ ବି ରାଜ୍ୟ ସଭାପତି କରିବାକୁ ଘୋଷଣା କରି ପାରେ। ମାତ୍ର ସିନ୍ଧିଆ ବର୍ତ୍ତମାନ ରାଜ୍ୟ କଂଗ୍ରେସର ସଭାପତି ହେବାକୁ ମନା କରି ଦେଇଛନ୍ତି।
ମଧ୍ୟ ପ୍ରଦେଶ ରାଜନୀତିରେ ତେବେ ରାଜନୈତିକ ଡ୍ରାମା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ, ବିଏସପି ଓ ଏସପିର ମୋଟ୍ ନଅ ଜଣ ବିଧାୟକ ଅଚାନକ ଗାଏବ ହୋଇ ଯାଇଥିଲେ। ଏଥିରୁ ପାଞ୍ଚ ଜଣ ବିଧାୟକଙ୍କୁ ତା ପରବର୍ତ୍ତୀ ଦିନ ଭୋପାଳରୁ ଠାବ କରାଯାଇଥିଲା। ଏଥିରୁ ଜଣେ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ସୂଚନା ଅନୁଯାୟୀ କର୍ଣ୍ଣାଟକର ବିଜେପି ସଭାପତି ତଥା ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପୁତ୍ରଙ୍କୁ କଂଗ୍ରେସର ବିଧାୟକଙ୍କ ଦାୟିତ୍ଵ ବୁଝିବାକୁ ଦିଆଯାଇଛି। କଂଗ୍ରେସର ବିଧାୟକଙ୍କ ସୁରକ୍ଷାରେ ପ୍ରାୟ ୪୦୦ ଯବାନ ମୁତୟନ ହୋଇଛନ୍ତି।
ଏ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ତୁଲସୀ ସିଲାଓ୍ଵଟ, ଗୋବିନ୍ଦ ସିଂହ ରାଜପୁତ, ପ୍ରଦ୍ୟୁମ୍ନ ସିଂହ ତୋମାର, ଇମରତୀ ଦେବୀ, ପ୍ରଭୁରାମ ଚୌଧୁରୀ ଓ ମହେନ୍ଦ୍ର ସିସୋଦିଆ ବେଙ୍ଗାଲୁରୁ ପହଞ୍ଚି ସାରିଛନ୍ତି।