ବିପଦରେ ମଧ୍ୟପ୍ରଦେଶ ସରକାର, ୬ ମନ୍ତ୍ରୀ ସମେତ ୧୬ ବିଧାୟକ ପହଞ୍ଚିଲେ ବେଙ୍ଗାଲୁରୁ, ଜରୁରୀକାଳୀନ ବୈଠକ ଡକାଇଲେ କମଲନାଥ

Published By : Prameya-News7 Bureau | March 09, 2020 IST

ଭୋପାଳ ୦୯।୦୩- ମଧ୍ୟ ପ୍ରଦେଶ ରାଜନୀତିରେ ବିଧାୟକଙ୍କ ଗାଏବ ହେବା ଘଟଣା ନଥମୁଣୁ ପୁଣି ଥରେ ରାଜ୍ୟରେ ରାଜନୈତିକ ଡ୍ରାମା ଆରମ୍ଭ ହୋଇ ଯାଇଛି। ସୂଚନା ଅନୁଯାୟୀ, କ୍ଷମତାଧାରୀ କଂଗ୍ରେସର ୧୬ ବିଧାୟକ କର୍ଣ୍ଣାଟକ ପହଞ୍ଚିଛନ୍ତି। ଏଥିରେ ମଧ୍ୟ ପ୍ରଦେଶ ସରକାରର ୬ ଜଣ ମନ୍ତ୍ରୀ ମଧ୍ୟ ସାମିଲ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ସବୁ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୋଷ୍ଠୀର। ଏହା ପୂର୍ବରୁ ୩ ବିଧାୟକଙ୍କୁ ବେଙ୍ଗାଲୁରୁ ନିଆଯାଇଥିବା ଖବର ରହିଥିଲା। ଅନ୍ୟପଟେ ଦିଲ୍ଲୀ ଗସ୍ତ ଅଧାରୁ ଛାଡି ମୁଖ୍ୟମନ୍ତ୍ରୀ କମଲନାଥ ଭୋପାଳ ଫେରି ଜରୁରୀକାଳୀନ ବୈଠକ ଡକାଇଛନ୍ତି।

ସୂତ୍ର ମୁତାବକ କର୍ଣ୍ଣାଟକ ବିଜେପିର ବିଧାୟକ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଖାସ୍ କଥା ଏହା ଯେ, ଏଥିରେ କିଛି ମନ୍ତ୍ରୀ ସାମିଲ ଥିବା କୁହାଯାଉଛି। ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁ ଉପକଣ୍ଠ ସ୍ଥିତ କୌଣସି ରିସର୍ଟରେ ରଖାଯାଇଛି। ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ, ବିଜେପି କ୍ଷମତା ହାସଲ କରିବାକୁ ଆଉ ଥୟ ଧରି ପାରୁନାହିଁ। ସେମାନେ ୧୫ ବର୍ଷ ପୂର୍ବେ ଯେଉଁ ଭ୍ରଷ୍ଟାଚାର କରିଥିଲେ, ତାହା ସାମ୍ନାକୁ ଆସିବାକୁ ଯାଉଛି। ତେଣୁ ବିଜେପି ବିଚଳିତ ହୋଇ ପଡିଛି।

{"id":235678,"sizeSlug":"large"}

ମଧ୍ୟ ପ୍ରଦେଶର ରାଜନୈତିକ ଘଟଣାକ୍ରମ ଏମିତି ସମୟରେ ସାମ୍ନାକୁ ଆସିଛି, ଯେବେ କିଛି ଦିନ ପରେ ରାଜ୍ୟସଭା ନିର୍ବାଚନ ହେବାର ଅଛି। ମଧ୍ୟପ୍ରଦେଶରେ କମଲନାଥ ସରକାର ମାମୁଲି ବହୁମତ ଆଧାରରେ ସରକାର ଚଳାଉଛନ୍ତି। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ ଅନେକ ନେତା ଆରୋପ ଲଗାଇ ସାରିଛନ୍ତି ଯେ, ବିଜେପି ତାଙ୍କ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି।

ଦିଲ୍ଲୀରୁ ଭୋପାଳ ଫେରିଲେ କମଲନାଥ

ପିଟିଆଇ ମୁତାବକ ମୁଖ୍ୟମନ୍ତ୍ରୀ କମଲନାଥ ନିଜର ଦିଲ୍ଲୀ ଗସ୍ତ ଅଧାରେ ରଖି ଭୋପାଳ ଫେରି  ଆସିଛନ୍ତି। ଅନ୍ୟପଟେ କଂଗ୍ରେସ ନେତୃବୃନ୍ଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନେଇବାକୁ  ଚେଷ୍ଟା ଚଳାଇଛନ୍ତି। ତାଙ୍କୁ ମଧ୍ୟ ପ୍ରଦେଶରେ ରାଜ୍ୟ କଂଗ୍ରେସ କମିଟିର ସଭାପତି କରାଯାଇ ପାରେ।

{"id":235679,"sizeSlug":"large"}

ଜରୁରୀକାଳୀନ ବୈଠକ ଡକାଇଲେ କମଲନାଥ

ଏହି ଘଟଣାକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କମଲନାଥ ଭୋପାଳରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ବୈଠକରେ ବରିଷ୍ଠ ନେତା ଦିଗବିଜୟଙ୍କ ସହିତ ଅନ୍ୟ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। କମଲନାଥଙ୍କୁ ସମର୍ଥନ ଦେଉଥିବା ବିଧାୟକ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି। କମଲନାଥଙ୍କ ନିକଟତମ ସୂତ୍ର କହିଛି ଯେ, ରାଜ୍ୟ ସରକାର ଉପରେ କୌଣସି ବିପଦ ନାହିଁ।

ଫେରି ଆସିଥିଲେ ବିଧାୟକ

ମଧ୍ୟ ପ୍ରଦେଶ ରାଜନୀତିରେ ତେବେ ରାଜନୈତିକ ଡ୍ରାମା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ, ବିଏସପି ଓ ଏସପିର ମୋଟ୍ ନଅ ଜଣ ବିଧାୟକ  ଅଚାନକ ଗାଏବ ହୋଇ ଯାଇଥିଲେ। ଏଥିରୁ ପାଞ୍ଚ ଜଣ ବିଧାୟକଙ୍କୁ ତା ପରବର୍ତ୍ତୀ ଦିନ ଭୋପାଳରୁ ଠାବ କରାଯାଇଥିଲା। ଏଥିରୁ ଜଣେ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

୧୦ ବିଧାୟକ ଯିବାର ପ୍ରଭାବ କଣ ରହିବ ?

ମଧ୍ୟ ପ୍ରଦେଶର ବିଧାନସଭା ଆସନ ୨୩୦। ୨ ବିଧାୟକଙ୍କ ନିଧନ ପରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୨୮ ରହିଛି। କଂଗ୍ରେସ ପାଖରେ ୧୧୪ ବିଧାୟକ ଅଛନ୍ତି। ଏହା ବ୍ୟତୀତ ୪ ନିର୍ଦ୍ଦଳୀୟ, ୨ ବିଏସପି(ଜଣେ ନିଲମ୍ବିତ) ଓ ଜଣେ ଏସପିର ବିଧାୟକ। ଏହି ପରି କଂଗ୍ରେସ ପାଖରେ ସଂପ୍ରତି ୧୨୧ ବିଧାୟକ ରହିଛନ୍ତି। ଅନ୍ୟପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି। ଏମପି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ଲାଗି ମ୍ୟାଜିକ ନମ୍ବର ହେଉଛି ୧୧୬। ଯଦି ୧୦ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୁଅନ୍ତି ତେବେ ବିଧାନସଭାରେ  ବିଜେପିର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଯିବ। ସାଂପ୍ରତିକ ସ୍ଥିତି ଦେଖିଲେ କଂଗ୍ରେସ ଉପରେ ସରକାର ଭାଙ୍ଗିବାର ବିପଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.