କଥା-କାଗଜରେ ଅନ୍ଲାଇନ୍ ବିକ୍ରି, ମଦ ଦୋକାନରେ ଡାଇରେକ୍ଟ ସେଲ୍ : ପୋଲିସ-ଅବକାରୀ କର୍ମଚାରୀ ଜାଣି ଜଳକା
27/06/2020 at 9:36 AM

ଭୁବନେଶ୍ୱର ୨୭।୦୬: ଅପରାହ୍ଣ ୨ଟା ବାଜିବା ମାତ୍ରେ ମଦ ଦୋକାନ ସଟର ଖୋଲୁଛି । କିନ୍ତୁ ଢେର୍ ପୂର୍ବରୁ ଦୋକାନ ସାମ୍ନାରେ ଟହଲ ମାରୁଛନ୍ତି ଗ୍ରାହକ । କାଉଣ୍ଟର ଖୋଲିବା କ୍ଷଣି ଧାଡ଼ି ବାନ୍ଧି ଛିଡ଼ା ହୋଇ ଯାଉଛନ୍ତି । ଆଉ ତା’ପରେ ଚାଲୁଛି ଲଗାମଛଡ଼ା କାରବାର । ଦୋକାନ କର୍ମଚାରୀ ହାତକୁ ହାତ ଟଙ୍କା ନେଇ ଗ୍ରାହକଙ୍କୁ ବଢ଼ାଉଛନ୍ତି ମଦ ବୋତଲ । ଏହା ହେଉଛି ଅନ୍ଲାଇନ୍ ଯୋଗେ ମଦ କିଣାବିକାର ବାସ୍ତବ ଚିତ୍ର । ପ୍ରହସନ ପାଲଟିଛି ଅନ୍ଲାଇନ୍ ମଦ ବେପାର । ଜଣାପଡ଼ୁଛି ସତେ ଯେମିତି ଅଫ୍ଲାଇନ୍ ମଦ ବିକ୍ରିକୁ ୟା ଭିତରେ ସରକାର ଅନୁମତି ଦେଇ ସାରିଛନ୍ତି ।

ଲକ୍ଡାଉନ୍ର ୨ ମାସ ପରେ ଅର୍ଥାତ୍ ଗତ ମେ ମାସ ୨୩ରେ ମଦ ବିକ୍ରିକୁ ଅନୁମତି ଦେଇଥିଲେ ସରକାର । ସର୍ତ୍ତ ରଖିଥିଲେ, ଅନ୍ଲାଇନ୍ ବା ହୋମ୍ ଡେଲିଭରି ଯୋଗେ କେବଳ ମଦ ବିକାଯିବ । ପ୍ରତି ମଦ ଦୋକାନ ସାମ୍ନାରେ ଡିସ୍ ପ୍ଲେ ବୋର୍ଡରେ ‘ହ୍ୱାଟସ୍ଅପ୍ ନମ୍ବର’ ଦର୍ଶା ଯାଇଥିଲା । ଓଡି଼ଶା ଷ୍ଟେଟ୍ ବ୍ରେଭରେଜ୍ କର୍ପୋରେସନ(ଓଏସ୍ବିସି) ୱେବ୍ସାଇଟ୍ରେ ମଧ୍ୟ ବିଦେଶୀ ମଦ ଅର୍ଡର କରିବାର ସୁବିଧା ଦିଆ ଯାଇଥିଲା । ଇତିମଧ୍ୟରେ ଅନ୍ଲାଇନ୍ରେ ମଦ ବିକ୍ରିକୁ ମାସେ ବିତିଛି । ଦୋକାନୀ ହେଉ କି ଗ୍ରାହକ, ଏହି ଅନ୍ଲାଇନ୍ ବିକ୍ରି ବ୍ୟବସ୍ଥାକୁ ମାନିବାକୁ କେହି ରାଜି ନାହାନ୍ତି । ଉଭୟଙ୍କ ମଧୁଚନ୍ଦ୍ରିକାରେ ଚାଲୁଛି ଖୁଲମ୍ଖୋଲା ମଦ ବିକ୍ରି । ଦୋକାନକୁ ସୁରକ୍ଷା ଯୋଗାଉଥିବା ପୁଲିସ ବି ଏଥିରେ ସାମିଲ୍ ହୋଇଯାଉଛି । କଳ୍ପନାରୁ କଟକ ରୋଡ । ଜନପଥରୁ ଜୟଦେବ ବିହାର-ପଟିଆ ରାସ୍ତା । ଯେଉଁଠି ବି ମଦ ଦୋକାନ କି ବାର ରହିଛି, ପ୍ରାୟ ସବୁଠି ଏମିତି ଖୋଲାମେଲା ମଦ ବିକ୍ରି ଚାଲୁଛି ।
ମଦ ବିକ୍ରି ପ୍ରଥମ ଦିନରେ ହିଁ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଟୋପାଏ ମଦ ପାଇଁ ବାଉଳା ହେଉଥିବା ଗ୍ରାହକ ଶହ ଶହ ସଂଖ୍ୟାରେ ଦୋକାନ ସାମ୍ନାରେ ଭିଡ଼ ଜମାଇଲେ । ଗ୍ରାହକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରିସ୍ଥିତି ଏମିତି ହେଲା ଯେ, ଗ୍ରାହକଙ୍କୁ ଘଉଡ଼ାଇବାକୁ ପୁଲିସ୍ ନାକେଦମ୍ ହୋଇଥିଲା । ଏହା ଦେଖି ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ, ଅପରାହ୍ଣ ୧ଟା ଯାଏଁ କେବଳ ଅର୍ଡର ରଖାଯିବ । ଅପରାହ୍ଣ ୨ଟା ପରେ ଦୋକାନ କର୍ମଚାରୀ କିମ୍ବା ଯୋଗାଣକାରୀ ସଂସ୍ଥାର ଡେଲିଭରି ବଏ ଏହି ଅର୍ଡରଗୁଡିକର ହୋମ୍ ଡେଲିଭରି କରିବେ । ଦୋକାନୀମାନେ ଏହି ନିଷ୍ପତ୍ତିକୁ ଅପରାହ୍ଣ ୧ଟା ଯାଏଁ ବେଶ୍ ମାନୁଛନ୍ତି । ସେ ଯାଏଁ କୌ÷ଣସି ଦୋକାନର ସଟର ଖୋଲୁନି । ଏହାପରେ କିନ୍ତୁ ଦୋକାନ ସାମ୍ନାରେ ମଦ ବିକାଯାଉଛି । ହୋମ୍ ଡେଲିଭରିର ପ୍ରଶ୍ନ ଉଠୁନି ।
ଧରାପଡି଼ଲା ଦୋକାନୀଙ୍କ ଚାଲ୍
ଅନ୍ଲାଇନ୍ ବିକ୍ରିରେ ସରକାର ସର୍ତ୍ତ ରଖିଥିଲେ, ହୋମ୍ ଡେଲିଭରି ପାଇଁ ଜଣେ ଦୋକାନୀ ସ୍ୱିଗି ଓ ଜୋମାଟୋ ଭଳି ଅନ୍ଲାଇନ୍ ଯୋଗାଣକାରୀ ସଂସ୍ଥାର ସହାୟତା ନେଇପାରିବ । କିମ୍ବା ନିଜସ୍ୱ କର୍ମଚାରୀଙ୍କ ଦ୍ୱାରା ମଦ ହୋମ୍ ଡେଲିଭରି କରିପାରିବ । ଅବକାରୀ ବିଭାଗ ଓ ବ୍ୟବସାୟୀ ସଂଘ ମଧ୍ୟରେ ଏନେଇ ଆରମ୍ଭରୁ ଟଣାଓଟରା ଚାଲିଥିଲା । ଯୋଗାଣକାରୀ ସଂସ୍ଥାର ସହାୟତା ନେବାକୁ ଅନେକ ଦୋକାନ ମାଲିକ ଅରାଜି ହୋଇଥିଲେ । ଅଧିକାଂଶ ନିଜସ୍ୱ କର୍ମଚାରୀଙ୍କ ଦ୍ୱାରା ହୋମ୍ ଡେଲିଭରି ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକି ଏବେ ସେମାନଙ୍କୁ ସୁହାଇଛି । ଅଧିକାଂଶ ଦୋକାନରେ ନିୟୋଜିତ ହୋଇଥିବା ଡେଲିଭରି ବଏ ହିଁ ମଦ ବିକ୍ରିର ମାଧ୍ୟମ ପାଲଟିଛନ୍ତି । ଦୋକାନ ସାମ୍ନାରୁ ଗ୍ରାହକଙ୍କଠାରୁ ଟଙ୍କା ରଖି ଦୋକାନରୁ ସେମାନଙ୍କୁ ମଦ ଯୋଗାଇବା ସେମାନଙ୍କ କାମ ପାଲଟିଛି । ଯେଉଁଥିପାଇଁ, ଅଧିକାଂଶ ଗ୍ରାହକ ହ୍ୱାଟସ୍ ଅପ୍ କିମ୍ବା ଅନ୍ଲାଇନ୍ ଯୋଗେ ମଦ ଅର୍ଡର କରି ‘ଆଉଟ୍ ଅଫ୍ ଷ୍ଟକ୍’ ସମସ୍ୟାର ସାମ୍ନା କରୁଛନ୍ତି ।
ପୁଲିସ, ଅବକାରୀ ବିଭାଗର ‘ଜିରୋ ଆକ୍ସନ’
ମଦ ବିକ୍ରି ଆରମ୍ଭର ୨-୩ ଦିନ ପରଠୁ ଏମିତି ଖୁଲ୍ମଖୁଲା ମଦ ବିକ୍ରି ଚାଲିଛି । କେଉଁଠି ଅଧା ସଟର ଖୋଲି ସିଧାସଳଖ ମଦ ବିକା ଚାଲୁଛି ତ, ଆଉ କେଉଁଠି ଦୋକାନର ସଟର ବନ୍ଦ ରହୁଛି । କିନ୍ତୁ ଗଳାବାଟରେ ଅର୍ଥାତ ଦୋକାନ ପାଖ ଗେଟ୍ କିମ୍ବା ପାଚେରି କଡ଼ରେ ମଦ ବିକା ଚାଲୁଛି । ବେଳେ ବେଳେ ଠେଲାପେଲାର ପରିସ୍ଥିତି ବି ଉପୁଜୁଛି । ଦିନେ କି ୨ ନୁହେଁ, ଲଗାତର ମାସେ ଧରି ସବୁଦିନ ଏଭଳି ଚିତ୍ର ସାମ୍ନାକୁ ଆସୁଛି । କିନ୍ତୁ ପୁଲିସ ଓ ଅବକାରୀ ବିଭାଗ ପୂରା ଚୁପ୍ । କାର୍ଯ୍ୟାନୁଷ୍ଠାନ ତ ଦୂର, ଥରଟିିଏ ବି କୌଣସି ମଦ ଦୋକାନରେ ଏନେଇ ଯାଞ୍ଚ ହୋଇନି ।