ଆଜିଠୁ ଅନଲାଇନ୍‌ରେ ମିଳିବ ମଦ : ଏମଆରପି ଉପରେ ଲାଗିବ ୫୦ % କୋଭିଡ୍ ଫି

Published By : Prameya-News7 Bureau | May 24, 2020 IST

କଟକ ୨୪।୦୫: ଶେଷରେ ଅନ୍‌ଲାଇନ୍‌ ମଦ କାରବାର ଓ ‘ମଦର ହୋମ୍‌ ଡେଲିଭରି’ ବ୍ୟବସ୍ଥାକୁ ‘ହଁ’ ଭରିଛନ୍ତି ସରକାର। ଫଳରେ, ରବିବାର ଅର୍ଥାତ୍‌ ମେ’ ୨୪ ତାରିଖରୁ ଫୋନ୍‌ ଯୋଗେ ମଦ ବୁକ୍‌ କଲେ କିଛି ସମୟ ଭିତରେ ତାହା ସିଧା ଘରେ ପହଞ୍ଚିବ । କିନ୍ତୁ ମଦ ଓ ବିୟର ୫୦% ମହଙ୍ଗା କରିଛନ୍ତି ରାଜ୍ୟ ସରକାର । ଉଭୟ ବିଦେଶୀ ମଦ ଓ ବିୟର୍‌ ବିକ୍ରି ନେଇ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କଣ୍ଟେନମେଣ୍ଟ୍‌ ଜୋନ୍‌ ଓ ସପିଂ ମଲ୍‌ ଛଡ଼ା ଅନ୍ୟ ସବୁ ସ୍ଥାନରେ ଏଭଳି ଢଙ୍ଗରେ ମଦର ଯୋଗାଣ ହୋଇପାରିବ । ଅବକାରୀ ଆଇନ ୨୦୧୭ରେ ସଂଶୋଧନ ପରେ ରାଜ୍ୟ ଅବକାରୀ ବିଭାଗ ଏପରି ନିଷ୍ପତ୍ତି ନେଇଛି ।

ଉଭୟ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଏହି ହୋମ୍‌ ଡେଲିଭରି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
ତେବେ, ମଦ କିଣିବା ପାଇଁ ଗ୍ରାହକଙ୍କୁ ଏବେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ବିଦେଶୀ ମଦ ଓ ବିୟର୍‌ ଆଗ ଅପେକ୍ଷା ମହଙ୍ଗା ହେବ । ମଦ ଉପରେ ରାଜ୍ୟ ସରକାର ନୂଆ ‘ସ୍ପେସାଲ୍‌ କୋଭିଡ୍‌ ଫି’ ଲାଗୁ କରିଛନ୍ତି । ମଦର ‘ଏମ୍‌ଆର୍‌ପି’ ଅର୍ଥାତ୍‌ ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ୫୦ ପ୍ରତିଶତ ଦର ବୃଦ୍ଧି ହୋଇଛି । ଗ୍ରାହକଙ୍କଠାରୁ ନିଆଯିବାକୁ ଥିବା ଏହି ଅତିରିକ୍ତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସାରେ ବିନିଯୋଗ ହେବ । ମଦର ହୋମ୍‌ ଡେଲିଭରି ଦୋକାନୀମାନେ ସିଧାସଳଖ କରିପାରିବେ ।

ଏହାଛଡ଼ା ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥା କିମ୍ବା ଅନ୍ୟ ଜିନିଷ ଡେଲିଭରି କରିବାର କ୍ଷମତା ରଖୁଥିବା ସଂସ୍ଥା ମଧ୍ୟ ଏହି କାମରେ ନିୟୋଜିତ ହୋଇପାରିବେ । ମଦ କୋଦାନୀମାନେ ସେମାନଙ୍କର ଫୋନ ନମ୍ବର, ମୋବାଇଲ୍‌, ହ୍ୱାଟ୍‌ସ୍‌ଆପ୍‌ ନମ୍ବର, ଇ-ମେଲ୍‌ ଆଇଡି ଓ ୟୁପିଆଇ ଭଳି ସମସ୍ତ ତଥ୍ୟ ନିଜ ଦୋକାନ ବାହାରେ ଏକ ବୋର୍ଡରେ ଉଲ୍ଲେଖ କରି ଝୁଲାଇବେ । ଏହାଛଡ଼ା ଓଡ଼ିଶା ଷ୍ଟେଟ୍‌ ବିଭ୍‌ରେଜ୍‌ କର୍ପୋରେସନ୍‌ର ୱେବ୍‌ସାଇଟ୍‌ ‘osbc.co.in‌’ରେ ମଧ୍ୟ ଜିଲ୍ଲାୱାରୀ ଉଭୟ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନର ତାଲିକା ଓ ଅନ୍ୟ ତଥ୍ୟ ପ୍ରଦାନ କରାଯିବ ।

ଏଥି ସହିତ ୱେବ୍‌ସାଇଟ୍‌ରେ ମଦ କମ୍ପାନୀର ନାଁ, ପରିମାଣ ଓ ମୂଲ୍ୟ ବାବଦ ତଥ୍ୟ ପ୍ରଦାନ କରାଯିବ। ମଦ ଦୋକାନୀମାନେ ମଦର ଅର୍ଡର କେବଳ ଫୋନ୍‌, ଏସ୍‌ଏମ୍‌ଏସ୍‌ ଓ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ ନେଇପାରିବେ । ଦୋକାନ ଆଗରେ କୌଣସି ପ୍ରକାରର ଗହଳି କରାଯାଇ ପାରିବ ନାହିଁ । ଯେଉଁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ବା ଅନ୍ୟ ଜିନିଷ ଯୋଗାଣକାରୀ ସଂସ୍ଥାକୁ ମଦର ହୋମ୍‌ ଡେଲିଭରି ପାଇଁ ଦୋକାନୀମାନେ ଦାୟିତ୍ୱ ଦେବେ ସେମାନେ ଅବକାରୀ ବିଭାଗଠାରୁ ଏଭଳି କାମ କରିବା ପାଇଁ ଏନ୍‌ଓସି ଆଣିବା ବାଧ୍ୟତାମୂଳକ । ମଦର ଅନ୍‌ଲାଇନ୍‌ ବୁକିଂ ବେଳେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ପାଇଁ ଯଦି ବ୍ୟାଙ୍କ୍‌ ଅଧିକ ଅର୍ଥ ଚାର୍ଚ୍ଚ କରୁଛି ତାହେଲେ ସେହି ଚାର୍ଜ ମଧ୍ୟ ଗ୍ରାହକମାନେ ଦେବେ । ତେବେ ଡେଲିଭରି ଚାର୍ଜ ପାଇଁ ଅବକାରୀ କମିସନର ଏକ ସର୍ବନିମ୍ନ ଅର୍ଥ ପରିମାଣ ବା ଦର ସ୍ଥିର କରିଛନ୍ତି । ୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ କିଣିଲେ ୧୦୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ । ଏହା ପରେ ମଦର ମୂଲ୍ୟ ଯେତେ ୫୦୦ ଟଙ୍କା ଲେଖାଏଁ ବଢ଼ିବ, ସେଥିପାଇଁ ଅଧିକ ୨୫ ଟଙ୍କାର ଡେଲିଭରି ଚାର୍ଜ ନିଆଯିବ । ଏଣୁ ମଦ ମହଙ୍ଗା ହୋଇଯିବ ।

ଏହାଛଡ଼ା, ନୂଆ ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ମଦର କାରବାର ବା ହୋମ୍‌ ଡେଲିଭରି ହୋଇପାରିବ । ଅର୍ଡର ପାଇବାର ସର୍ବାଧିକ ୬ ଘଣ୍ଟା ଭିତରେ ମଦ ଡେଲିଭରି କରିବାକୁ ଦୋକାନୀମାନେ ଚେଷ୍ଟା କରିବେ । କୌଣସି ନିର୍ଦ୍ଦିଷ୍ଟ ମଦର ପ୍ରଚାର ଓ ପ୍ରସାର ପାଇଁ ଦୋକାନୀମାନେ ଉଦ୍ୟମ କରିପାରିବେନି । ଡେଲିଭରି ବୟମାନେ ନିଜର ଆଇକାର୍ଡ ପାଖରେ ରଖିବେ । ମଦ ନେଇ ଦେବାକୁ ଗଲାବେଳେ ତାର ମନି ରିସିପ୍‌ଟ୍‌ ମଧ୍ୟ ନେଇଯିବେ । ଯାହାଦ୍ୱାରା ବାଟରେ ପୁଲିସ ଯାଞ୍ଚ୍‌ ବେଳେ କୌଣସି ଅସୁବିଧା ଉପୁଜିବ ନାହିଁ । ଏହି ରସିଦରେ ଗ୍ରାହକଙ୍କର ନାଁ, ଠିକଣା, ମଦର ପରିମାଣ ଓ କିଭଳି ଟଙ୍କା ପୈଠ ହୋଇଛି ତାହା ଉଲ୍ଲେଖ ରହିବ । ଡେଲିଭରି ବୟ ସାମାଜିକ ଦୂରତା ନିୟମ ପାଳନ କରିବା ସହିତ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍‌ କରିବା ବାଧ୍ୟତାମୂଳକ । ଯଦି କେଉଁ ଡେଲିଭରି ବୟ ଅସୁସ୍ଥ ଥିବେ ତାହେଲେ ତାଙ୍କୁ କାମରେ ନିୟୋଜିତ କରାଯାଇ ପାରିବନି ।

ଅଧିକରୁ ଅଧିକ ଡିଜିଟାଲ୍‌ ପେମେଣ୍ଟ କରିବା ପାଇଁ ଦୋକାନୀମାନେ ଉଦ୍ୟମ କରିବେ । ହାତାହାତି ନଗଦ ଟଙ୍କା ଦେଣନେଣକୁ ଅଧିକ ଗୁରୁତ୍ୱ ନଦେବାକୁ ଦୋକାନୀମାନେ ପ୍ରଚେଷ୍ଟା କରିବେ । ତେବେ ମଦ ଯୋଗାଣ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ହେବ । ମଦ ଯୋଗାଣକାରୀ ସଂସ୍ଥାକୁ, ଡେଲିଭରି ବୟଙ୍କୁ ନିୟୋଜିତ କରିବା କାମ ଦୋକାନୀ ବା ମଦ ବ୍ୟବସାୟୀଙ୍କର । ଯଦି ମଦ କିଣାବିକା ବେଳେ କିଛି ଅସୁବିଧା ଉପୁଜେ ତାହେଲେ ଏଥିପାଇଁ ରାଜ୍ୟ ସରକାର କୌଣସି ପ୍ରକାର ଦାୟୀ ନୁହଁନ୍ତି ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରି ଦିଆଯାଇଛି । ଦୁଇ ମାସ ହେଲା ଠପ୍‌ ହୋଇଯାଇଥିବା ଅବକାରୀ ରାଜସ୍ୱକୁ ପୁନର୍ଜୀବନ ଦେବାକୁ ବିଭାଗ ପକ୍ଷରୁ ଏକ୍ସପେରିମେଣ୍ଟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ପୂର୍ବରୁ ଝାଡ଼ଖଣ୍ଡ ଓ ଅନ୍ୟ କେତେକ ରାଜ୍ୟରେ ବି ଏହି ମଦ ହୋମ୍‌ ଡେଲିଭରି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.