କରୋନାରେ ଚାଲିଗଲା ପୁଅ, ମୃତ୍ୟୁ ଖବର ଶୁଣି ସହି ପାରିଲାନି ମାଆ ; ହୃଦଘାତରେ ହାରିଲା ଜୀବନ

Published By : Prameya-News7 Bureau | May 21, 2021 IST

ଚୌଦ୍ୱାର,୨୧/୦୫ : ଘାତକ ହେଲାଣି କରୋନା ଭାଇରସ । ନେଇ ଚାଲିଛି ମୁଣ୍ଡ ପରେ ମୁଣ୍ଡ  । ରାତି ପାହିଲେ ସାଙ୍ଗ ସାଥୀ, ପ୍ରିୟଜନଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳୁଛି । କେଉଁଠି ବାପା ଆଗରେ ପୁଅ ଚାଲି ଯାଉଛି ତ କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀ ଚାଲି ଯାଉଛି । ଏହିଭଳି କରୋନାର କରୁଣ ଚିତ୍ର ଦେଖିବାକୁ ମିଳିଛି ଟାଙ୍ଗୀ ଚୌଦ୍ୱାର ବ୍ଲକ ନପଙ୍ଗ ପଞ୍ଚାୟତର ସାଇଣ୍ଟୋ ଗ୍ରାମରେ । ଗ୍ରାମର ଜଣେ ଯୁବକଙ୍କ କରୋନାଜନିତ ମୃତ୍ୟୁ ଖବରକୁ ସହିନପାରି ହୃଦ୍‌ଘାତରେ ମାଆଙ୍କର ପରଲୋକ ଘଟିଛି ।

ଟାଙ୍ଗୀ ନପଙ୍ଗ ପଞ୍ଚାୟତର ସାଇଣ୍ଟୋ ଗ୍ରାମର କିଣୁ ଚରଣ ବେହେରାଙ୍କ ପୁଅ ଦୟାନିଧି (୪୩)ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ଖାନନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବରରେ ମା’ ଓ ପତ୍ନୀଙ୍କ ସହ ପରିବାର ଅନ୍ୟ ସଦଙ୍ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତେବେ ଅକାଳରେ ପୁଅର ମୃତ୍ୟୁ ଜନିତ ଶୋକକୁ ସହିନପାରି ମାଆ ଶାନ୍ତିଲତା (୬୨)ଙ୍କର ହୃଦ୍‌ଘାତରେ ମଙ୍ଗଳବାର ମୃତ୍ୟୁ ହୋଇଯାଇଥିଲା ।

ସେପଟେ କଟକରେ ପୁଅର ଅନ୍ତିମ ସତ୍କାର ହୋଇଥିବା ବେଳେ ଏପଟେ ଗାଁ ମଶାଣିରେ ମାଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଏଭଳି ଛାତିଥରା ଘଟଣାରେ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି । ମୃତ ଦୟାନିଧିଙ୍କର ବଡ଼ ଝିଅ ୧୦ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୮ ବର୍ଷ ଓ ୩ ବର୍ଷର ପୁଅ ଅଛନ୍ତି । ଏବେ ଏକାକୀ ହୋଇଯାଇଛନ୍ତି ଦୟାନିଧିଙ୍କ ପତ୍ନୀ ସରୋଜିନୀ । ଏକ ସଙ୍ଗେ ଗୋଟିଏ ଘରୁ ଦୁଇଟି ଜୀବନ ଚାଲିଗଲା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.