ଟ୍ୟୁସନ୍ ଯିବାକୁ ରାଜି ନଥିଲା ୪ ବର୍ଷର ପୁଅ, ଗୋଇଠା ପରେ ଗୋଇଠା ମାରିଲା ମାଆ, ମୁଣ୍ଡକୁ ରାସ୍ତାରେ ପିଟିଦେଲା...

Published By : Prameya-News7 Bureau | February 25, 2021 IST

ଭୁବନେଶ୍ୱର,୨୫/୦୨ : କୁନି ପୁଅକୁ ସର୍ବସାଧାରଣରେ ନିର୍ଧୁମ ପିଟିଲା ମା’ । ରାସ୍ତା ଉପରେ କଚାଡ଼ିଲା, ଗୋଇଠା ମାରିଲା । ମାଡ଼ ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ନିର୍ଦ୍ଦୟ ମା’କୁ କମିଶନରେଟ୍‌ ପୁଲିସର ଛାଟ ପଡି଼ଛି । ଏୟାରଫିଲ୍ଡ ଥାନା ପୁଲିସ୍‌ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ଶିଶୁ ସୁରକ୍ଷା ଆଇନ ସେକ୍ସନ ୭୫ ଓ ଆଇପିସି ଦଫା ୩୨୩ ଲଗାଇଛି । ତାଙ୍କୁ ଗିରଫ କରି ଥାନାକୁ ଆଣି ତାଗିଦ୍‌ କରିଛି । ପରେ ସିଆର୍‌ପିସି ୪୧ରେ ଏକ ନୋଟିସ୍‌ ଧରାଇ ଛାଡ଼ିଛି ।

ଗତ ମଙ୍ଗଳବାର ଏକାମ୍ର କଲେଜ ଲେନ୍‌ରେ ଦିନ ବେଳା ଏହି ଘଟଣାଟି ଘଟିଛି । ସୌରଭ ପଟ୍ଟନାୟକ ନାମକ ବ୍ୟକ୍ତି ଛାତ ଉପରୁ ଏହାର ଭିଡିଓ ସୁଟିଂ କରିଥିଲେ । ପରେ ତାଙ୍କ ଟୁଇଟ୍‌ ପେଜ୍‌ରେ ଭିଡିଓକୁ ପୋଷ୍ଟ କରିଥିଲେ । ଭିଡିଓରେ ଜଣେ ମହିଳା ୪ ବର୍ଷର ଶିଶୁକୁ ଉକ୍ତ ରାସ୍ତାରେ ଟାଣି ଟାଣି ନେଉଛନ୍ତି । ଟ୍ୟୁସନ୍‌ ଯିବାକୁ ପିଲାଟି ରାଜି ନହେବାରୁ ମହିଳା ଜଣଙ୍କ ପ୍ରଚଣ୍ଡ ରାଗି ଯାଇଥିଲେ । କୁନି ପିଲାକୁ ତଳେ କଚାଡି଼ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ମୁଣ୍ଡକୁ ରାସ୍ତାରେ ପିଟି ଦେଇଥିଲେ । କିଛି ସମୟ ପରେ ପୁଅକୁ ଘୋଷାଡି଼ ନେଇ ଟ୍ୟୁସନ୍‌ ନେଇଥିଲେ ।

ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ଟୁଇଟ୍‌ ଦେଖିବା ପରେ ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ । ଏୟାରଫିଲ୍ଡ ଥାନା ପୁଲିସ ଆଜି ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଥାନାକୁ ଡାକି ୫ ଘଣ୍ଟା ବସାଇ ଥିଲା । ଚାଇଲ୍ଡ ଲାଇନ୍‌ର କର୍ତ୍ତୃପକ୍ଷ ଆସିବା ପରେ ଥାନାରେ ଅଭିଭାବକଙ୍କ କାଉନସେଲିଂ କରାଗଲା । ଏପରି ଘଟଣାର ପୁରନାବୃତ୍ତି ନ କରିବାକୁ ତାଗିଦ୍‌ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.