ବର୍ଷକୁ ଗୋଟିଏ ଦିନ ଖୋଲିଥାଏ ମନ୍ଦିର ; ଜାଣନ୍ତୁ କେଉଁଠି ରହିଛି ସେହି ମନ୍ଦିର

Published By : Prameya-News7 Bureau | November 24, 2018 IST

ଆଠଗଡ ୨୪|୧୧: ବର୍ଷକୁ ମାତ୍ର ଗୋଟିଏ ଦିନ ଖୋଲାଯାଇଥାଏ ମନ୍ଦିର । ଏହି ମନ୍ଦିରରେ ଯାହା ମାନସିକ କଲେ ହୋଇଥାଏ ପୂରଣ । ଏହି ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୩୦ହଜାର ଶ୍ରଦ୍ଧାଳୁ ଶିଶୁଙ୍କୁ ମୁଣ୍ଡନ କରାଯାଇଛି । ଆଠଗଡ ସବ୍ ଡିଭିଜନ ଅନ୍ତର୍ଗତ ତିଗିରିଆ ବ୍ଲକ୍ ବିନ୍ଧାଣିମା ଗ୍ରାମରେ ରହିଛି ଏହି ଲୋଭି ଠାକୁରାଣୀଙ୍କ ମନ୍ଦିର । ମନ୍ଦିରଟି ବର୍ଷକୁ ଗୋଟିଏ ଦିନ ଖୋଲାଯାଇଥାଏ । ବେଶ୍ ପ୍ରତ୍ୟକ୍ଷ ଏହି ଲୋଭି ଠାକୁରାଣୀ । ମନ୍ଦିରର ବିଶେଷତ୍ବ ହେଲା ଯେଉଁମାନଙ୍କର ସନ୍ତାନସନ୍ତତି ହେଉନଥାଏ ସେମାନେ ଲୋଭି ଠାକୁରାଣୀଙ୍କ ନିକଟରେ ମାନସିକ କରିଥାନ୍ତି । ସେମାନଙ୍କର ପ୍ରଥମ ସନ୍ତାନ ହେଲେ ଶିଶୁମାନଙ୍କୁ ଏହି ମନ୍ଦିରକୁ ଆଣି ଏଠାରେ ମୁଣ୍ଡନ କରିଥାନ୍ତି ଓ ଶିଶୁମାନଙ୍କର ଉନ୍ନତି କାମନା କରିଥାନ୍ତି । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାର ଅର୍ଦ୍ଧ ରାତ୍ରିରୁ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । କିମ୍ବଦନ୍ତୀ କହେ ବିନ୍ଧାଣିମା ଗ୍ରାମର ଲୋଭି ଠାକୁରାଣୀ ତାଳଚେରରେ ପୂଜା ପାଉଥିଲେ । ପ୍ରଥମେ ବିନ୍ଧାଣିମା ଗ୍ରାମର ଜଣେ ବଣିଆ ମା’ଙ୍କୁ ତାଳଚେରରୁ ଆଣି ବିନ୍ଧାଣିମା ଗାଁର ଘରେ ଏକ ଚଉରା ମୂଳେ ପୂଜା କରୁଥିଲେ । ପରବର୍ତ୍ତୀ ସମୟରେ ମା’ଙ୍କୁ ନେଇ ବିନ୍ଧାଣିମା ହାଟରେ ଏକ ମନ୍ଦିର ନିର୍ମାଣ କରିବା ପରେ ଏବେ ସେହିଠାରେ ମା’ ପୂଜା ପାଉଛନ୍ତି । ଲୋଭି ଠାକୁରାଣୀଙ୍କ ଶିଶୁମାନଙ୍କ ଉପରେ ଥାଏ ଅଗାଢ ସ୍ନେହ । ଯେଉଁଥି ପାଇଁ ଯିଏ ଯାହା ଏହି ପୀଠରେ ମାନସିକ କରେ ସେମାନଙ୍କର ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିବର୍ଷ ଲୋଭି ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.