ସିବିଆଇରେ ବିବାଦ : ଯୁଗ୍ମ ନିର୍ଦ୍ଦେଶକ ଏମ୍‌. ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ବ, ସୁପ୍ରିମ୍‌କୋର୍ଟ ଗଲେ ଆଲୋକ ବର୍ମା

Published By : Prameya-News7 Bureau | October 24, 2018 IST

ନୂଆଦିଲ୍ଲୀ ୨୪|୧୦: ବଡ ସଙ୍ଗୀନ ହେଉଛି ସିବିଆଇ ବିବାଦ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସରକାର ଛୁଟିରେ ପଠାଇ ଦେଇଥିବାବେଳେ ନୂଆ ନିର୍ଦ୍ଦେଶକ ଭାବେ ଏମ୍  ନାଗେଶ୍ବର ରାଓଙ୍କୁ  ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଏମ୍ ନାଗେଶ୍ବର ରାଓ ହେଉଛନ୍ତି ଓଡ଼ିଶା କ୍ୟାଡର ଅଧିକାରୀ । ତାଙ୍କ ଘର ତେଲେଙ୍ଗାନା ଓ୍ବାରଙ୍ଗଲ ଜିଲ୍ଲାରେ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଗଠିତ ନିଯୁକ୍ତି କମିଟି ଏମ ନାଗେଶ୍ବର ରାଓଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେ ଆଜି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ନେବା ପରେ ସଙ୍ଗେ ସଙ୍ଗେ ଆକ୍ସନ ମୁଡ୍ କୁ ଆସିଯାଇଛନ୍ତି ନୂଆ ନିର୍ଦ୍ଦେଶକ ଏମ୍ ନାଗେଶ୍ବର ରାଓ । ସେ ଦାୟିତ୍ବ ନେବା ପରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଅରୁଣ ଶର୍ମା ଏବଂ ଡିଆଇଜି ମନୀଶ ସିହ୍ନାଙ୍କୁ ପଦରୁ ହଟାଇଦେଇଛନ୍ତି । ସେହିପରି ଦିଲ୍ଲୀ ସ୍ଥିତ ସିବିଆଇ ହେଡକ୍ବାର୍ଟର ୧୦ ଏବଂ ୧୧ନଂ ଫ୍ଲୋରକୁ ସିଲ୍ କରାଯାଇଛି । ଏହି ଦୁଇ ଫ୍ଲୋରରେ ବିବାଦରେ ଫସିଥିବା ଦୁଇ ଅଧିକାରୀ ଆଲୋକ ବର୍ମା ଓ  ରାକେଶ ଆସ୍ଥାନା କାମ କରୁଥିଲେ । ତେବେ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦିଆଯାଇଥିବାରୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି । ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁକ୍ରବାର ଶୁଣାଣି ହେବ । ଉଭୟ ଅଧିକାରୀଙ୍କୁ ପିଏମଓ ପକ୍ଷରୁ ସମନ ଜାରି କରାଯାଇଥିଲା । ଏମିତିକି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା । ଆସନ୍ତା ୨୯ପୂର୍ବରୁ ଆସ୍ଥାନାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଗତକାଲି ରାୟ ଦେବା ସହ ସେହି ଦିନକୁ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ । ଏଥିସହିତ କୋର୍ଟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କଠାରୁ ଏନେଇ ରିପୋର୍ଟ ମାଗିଛନ୍ତି । ସେପଟେ ଏହି ମାମଲାରେ ଗିରଫ ହୋଇଥିବା ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ୭ ଦିନ ରିମାଣ୍ଡରେ ନିଆଯାଇଛି । ଏଥିସହ ତାଙ୍କୁ ସସପେଣ୍ଡ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.