ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍

Published By : Prameya-News7 Bureau | April 16, 2021 IST

ମୁମ୍ବାଇ ୧୬/୦୪ : ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇ ସେଭେନ ହିଲ୍ସ ହସ୍ପିଟାଲରେ ଭର୍ତ୍ତି ଥିଲେ। କରୋନାରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କୁ ୩ ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଣ୍ଡିତ କିରଣ ମିଶ୍ର ୧୫ ଦିନ ପୂର୍ବରୁ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଥିଲେ।

କିରଣ ମିଶ୍ରଙ୍କ ପୁଅ ସ୍ବଦେଶ ମିଶ୍ର କହିଛନ୍ତି ଯେ ଯେତେବେଳେ ତାଙ୍କ ପିତାଙ୍କ କରୋନା ଟେଷ୍ଟ କରାଇଥିଲେ ରିପୋର୍ଟ ନେଗେଟିଭ୍ ଆସିଥିଲା। ପରେ ସେ ହାର୍ଟ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କର ସିଟି ସ୍କାନ କରିଥିଲେ। ସିଟି ସ୍କାନ ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ୧୩ ତାରିଖରେ ସେଭେନ ହିଲ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ କହିଛନ୍ତି ଯେ ତାଙ୍କ ପିତାଙ୍କ ଅକ୍ସିଜେନ ଲେଭଲ ପୁରା କମିଯାଇଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତାଙ୍କର ରକ୍ତଚାପ ମଧ୍ୟ ବଢି ଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବା ପରେ ଜଣାପଡିଥିଲା ଯେ ତାଙ୍କ ଫୁସଫୁସ ସମ୍ପୂର୍ଣ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଛି।

ସ୍ବଦେଶ ମିଶ୍ର କହିଛନ୍ତି ୧୫ ଦିନ ପୂର୍ବରୁ ତାଙ୍କ ପିତାଙ୍କୁ ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଥିଲା। ଭ୍ୟାକସିନ୍ ନେବାର ଦୁଇ ଦିନ ପରେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଜ୍ୱର ଔଷଧ ଦିଆଯାଇଥିଲା।

ପଣ୍ଡିତ କିରଣ ମିଶ୍ର ଶହ ଶହ ଭକ୍ତି ଗୀତ ଲେଖିବା ସହ ଅନେକ ଲୋକପ୍ରିୟ ଧାରାବାହିକ ପାଇଁ ମଧ୍ୟ ଗୀତ ଲେଖିଛନ୍ତି। ଗାୟକ ଅନୁପ ଜଲୋଟା କିରଣ ମିଶ୍ରଙ୍କ ଲିଖିତ ୫୦ ରୁ ଅଧିକ ଗୀତ ଗାଇଛନ୍ତି। କିରଣ ମିଶ୍ରଙ୍କ ଦେହାନ୍ତରେ ଅନୁପ ଜଲୋଟା ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.