ସୋର, ୨୯/୦୬ : ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ଦୀର୍ଘଦିନ ଧରି ଡକାୟତି ମାମଲା ବଡିବାରେ ଲାଗିଛି । ସୋର ଚପରପଦା ନିକଟରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏକ କାରକୁ ଅଟକାଇ ଡକାୟତି କରୁଥିଲେ । ତେବେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି ସେମାନେ ପାଖରେ ଥିବା ଜଙ୍ଗଲ ଅଡକୁ ଦୌଡି ପଳାଇ ଥିଲେ । କିନ୍ତୁ ପୋଲିସ ଓ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।
ସୂଚନାନୁସାରେ, ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଏକ କାରରେ ଡକାୟତି କରୁଥିଲେ । କିନ୍ତୁ ସ୍ଥାନୀୟ ଲୋକେ ପାଟି କରିବାରୁ ସେମାନେ ଜଙ୍ଗଲରୁ ପଳାଇଥିଲେ । ଏନେଇ ସ୍ଥାନୀୟ ଲୋକେ ହାଇୱେ ପାଟ୍ରୋଲିଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହାଇୱେ ପାଟ୍ରୋଲିଂ କରୁଥିବା ପୋଲିସ ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ କରିଥିଲେ ।ସ୍ଥାନୀୟ ଲୋକେ, ପୋଲିସ ଓ ଲୁଟେରାମାନଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା ।
ତେବେ ଜଣେ ଲୁଟେରାକୁ ସୋର ପୋଲିସ ଗୋଡାଇ ଗୋଡାଇ ବିଲ ମଝିରୁ ଧରିଥିବା ବେଳେ ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ପାଖ ଜଙ୍ଗଲରେ ଲୁଚି ରହିଥିବା ଆଉ ଜଣେ ଲୁଟେରା କାବୁ କରି ପୋଲିସର ଜିମା ଦେଇଥିଲେ । ସୋର ପୋଲିସ ୨ ଜଣକୁ ଅଟକ ରଖିଥିବା ବେଳେ ସେମାନେ ମହାରାଷ୍ଟ୍ର ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରର ବିଭିନ୍ନ ଥାନାରେ ସେମାନଙ୍କ ନାଁ ବିଭିନ୍ନ ଅପରାଧିକ ମାମଲା ଥିବା ଜଣାପଡିଛି ।