ଶିଶୁଙ୍କ ଖାଦ୍ୟରେ ହରିଲୁଟ୍, ସିଡିପିଓଙ୍କ ଚଢାଉରେ ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତା

Published By : Prameya-News7 Bureau | June 28, 2021 IST

ନୀଳଗିରି ୨୮।୦୬: ଶେଷରେ ଶିଶୁଙ୍କ ଖାଦ୍ୟରେ ହରିଲୁଟ। ସ୍ପଷ୍ଟ ଦିବାଲୋକରେ ଧରାପଡ଼ିଲା ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତା। ନୀଳଗିରି ଏନଏସି ସମେତ ବ୍ଲକର କିଛି ସେଣ୍ଟରରେ ଏଭଳି ଅନିୟମିତତା ହୋଇଥିବା ଦେଖା ଯାଇଛି। ଏଭଳି ଅଭିଯୋଗ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପାଇବା ପରେ ତାଙ୍କ ବ୍ୟକ୍ତିଗତ ସହାୟକ ସିଡିପିଓଙ୍କୁ ନେଇ ସ୍ପଷ୍ଟ ଆଲୋକରେ ବିଭିନ୍ନ ଅଙ୍ଗନବାଡ଼ି  ସେଣ୍ଟରରେ ପହଞ୍ଚି ଚଢାଉ କରି ଏଭଳି ଅନିୟମିତତା ଧରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ  ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଅଚାନକ କିଛି ସେଣ୍ଟରକୁ ଗସ୍ତ କରିଥିଲେ। ପରେ ସିଡିପିଓ ସଂଯୁକ୍ତା ମହାରଣାଙ୍କୁ ଡକାଇ ଘଟଣାର ଯାଞ୍ଚ କରିଥିଲେ। ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆ ଓ ଖାଦ୍ୟରେ ଓଜନ କମ ଥିବାର ଦେଖାଯାଇଥିଲା। ଗୋଷ୍ଠୀ ପକ୍ଷରୁ ବ୍ଲକର ୨୫ ଟି ପଂଚାୟତ ଓ ଏନଏସିର ୧୩ ଟି ୱାର୍ଡର ଥିବା ୩୨୬ ଟି ଅଙ୍ଗନୱାଡିଙ୍କୁ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଛତୁଆ, ସୁଜି , ହାଲୁଆ ଓ ଲଡୁ ସମେତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଥାଏ।

ଏନଏସିର ଜାଉଁରି ଅଙ୍ଗନବାଡ଼ି ସେଣ୍ଟର ଓ ଜଡିଦା ପଞ୍ଚାୟତ ଅଧିନ ପୋଡାଶୂଳରେ ସିଡିପିଓ, ଅଫିସ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, କେନ୍ଦ୍ରମନ୍ତ୍ରୀଙ୍କ ସହାୟକ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଦିଆଯାଇଥିବା ଖାଦ୍ୟକୁ ଓଜନ କଲା ପରେ ସବୁଥିରେ ଓଜନ କମ ଥିବା ଜଣାପଡିଲା। ଗୋଟିଏ ଗୋଟିଏ ପକେଟରେ ପାଖାପାଖି ୫୦୦ ରୁ ୭୦୦ଗ୍ରାମ କମ ରହୁଥିବା ଦେଖିବାକୁ ମିଳିଛି। ଏଭଳି ଅନିୟମିତତା ନେଇ ଗ୍ରାମବାସୀ ଓ ଅଙ୍ଗନବାଡ଼ି କର୍ମୀ କିଛି ଜାଣି ପାରୁନଥିବା ବେଳେ ଘଟଣାର ତଦନ୍ତ କରୁରୀ ବୋଲି ଦାବି ହୋଇଛି।

ଯଦି ବ୍ଲକ ଓ ଏନଏସିର ବିଭିନ୍ନ ସେଣ୍ଟରେରେ ତଦନ୍ତ କରାଯାଏ ତେବେ ବହୁ ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଇଛି। ଏହି ମହାଘୋଟାଲାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ। ଦୀର୍ଘ ଦିନ ଧରି କାହିଁକି ହେଉନଥିଲା ତଦନ୍ତ। କାହିଁକି ହେଉନଥିଲା କାର୍ଯ୍ୟାନୁଷ୍ଠାନ। କଣ କରୁଥିଲେ ସୁପରଭାଇଜର ମାନେ। କାହିଁକି ଖାଦ୍ୟ ଯୋଗାଣ ସମୟରେ ଓଜନ କରି ନେଉନଥିଲେ। ସେପଟେ ଖାଦ୍ୟ ଯୋଗାଉଥିବା ସଂସ୍ଥା ମେସିନ ଖରାପ କାରଣରୁ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦିଆଯାଇଥିବା ସାମଗ୍ରୀ ବଦଳାଇ ଦେବେ ବୋଲି କହିଛନ୍ତି। ଶିଶୁ ଓ ଗର୍ଭବତୀ ମହିଳାଙ୍କ ଖାଦ୍ୟରେ ଏହିପରି ମହାଘୋଟାଲା ସ୍ପଷ୍ଟ ଦିବଲୋକରେ ଧରାପଡିବା ପରେ  କିପରି କାର୍ଯ୍ୟନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.