ବନ୍ଧୁକ ମୁନରେ ସାମ୍ବାଦିକଙ୍କଠୁ ଲୁଟ୍, ନେଇଗଲେ ଟଙ୍କା ଓ କ୍ରେଡିଟ୍ କାର୍ଡ

Published By : Prameya-News7 Bureau | March 03, 2021 IST

ଭୁବନେଶ୍ୱର,୦୩/ ୦୩: ବେକାବୁ ଲୁଟେରା । ବେଧଢକ ଚଳାଇଛନ୍ତି ଲୁଟତରାଜ । ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତିନିଜଣ ଦୁର୍ବୃତ୍ତ ଲୁଟପାଟ୍‌ କରିଛନ୍ତି । ଲୁଟର ଶିକାର ହୋଇଛନ୍ତି ନ୍ୟୁଜ୍‌-୧୮ର ରାକେଶ ମହାନ୍ତି । ଏହି ଲୁଟ୍‌ ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ରାକେଶଙ୍କ ଅଭିଯୋଗ ମୁତାବକ, ସେ ରାତି ୧ଟାରେ ଅଫିସରୁ ନୂଆପଲ୍ଲୀ ବ୍ରିଟ୍‌ କଲୋନିସ୍ଥିତ ଘରକୁ ଫେରୁଥିଲେ । ସିବିଆଇ ଅଫିସ ନିକଟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଅଫିସ ନିକଟରେ ୨ ବାଇକରେ ଥିବା ୩ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ । ଜଣେ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲା । ଅନ୍ୟଜଣେ ଗାଡି ଚାବି ଛଡାଇ ନେଇ ଦୂରକୁ ଫିଙ୍ଗିଦେଲା । ଆଉ ଜଣେ ଦୁର୍ବୃତ୍ତ ରାକେଶଙ୍କ ପକେଟରୁ ଜବରଦସ୍ତି ମୋବାଇଲ ଓ ମନିପର୍ସରେ ଥିବା ୫ହଜାର ଟଙ୍କା, ଆଧାର କାର୍ଡ, କ୍ରେଡିଟ କାର୍ଡ଼, ପ୍ୟାନ କାର୍ଡ ଛଡାଇ ନେଇଥିଲା ।

ଏନେଇ ରାକେଶ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନୟାପଲ୍ଲୀ ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି । ପାସ୍‌ପୋର୍ଟ ଅଫିସ ଓ ଅନ୍ୟ ସ୍ଥାନରେ ଥିବା ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.