ଲାଗିବ ଚନ୍ଦ୍ର ଗ୍ରହଣ: ମାସେ ଯାଏଁ ଏହି ରାଶିଙ୍କୁ ରହିବାକୁ ହେବ ସତର୍କ, ଚନ୍ଦ୍ରମା ବି ହେବେ ପ୍ରଭାବିତ

Published By : Prameya-News7 Bureau | November 11, 2021 IST

ଭୁବନେଶ୍ୱର ୧୧/୧୧ : ଚନ୍ଦ୍ର ଗ୍ରହଣର ପ୍ରଭାବ ଦେଶ ଦୁନିଆ ସହ ସବୁ ରାଶି ଉପରେ ମଧ୍ୟ ପଡିଥାଏ। ନଭେମ୍ବରରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଆସନ୍ତା ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡିବ। ଚନ୍ଦ୍ର ଗ୍ରହଣର ଠିକ ୧୫ ଦିନ ପରେ ସୂର୍ଯ୍ୟ ପରାଗ ପଡିବ। ସେଥିପାଇଁ ମାସେ ଯାଏଁ କିଛି ରାଶିର ବ୍ୟକ୍ତିଙ୍କୁ ବିଶେଷ ସତର୍କ ରହିବାକୁ ପଡିବ।

୧୯ ତାରିଖ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଥିବା ଗ୍ରହଣ ବୃଷ ରାଶିରେ ଲାଗିବ। ଏହି ଦିନ କୃତ୍ତିକା ନକ୍ଷତ୍ର ମଧ୍ୟ ରହିବ। ସେଥିପାଇଁ ବୃଷ ରାଶି ଏବଂ କୃତ୍ତିକା ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ବିଶେଷ ସତର୍କ ରହିବାକୁ ପଡିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ କୃତ୍ତିକା ନକ୍ଷତ୍ରର ଗୁରୁ ସୂର୍ଯ୍ୟଦେବ। ସୂର୍ଯ୍ୟଙ୍କୁ ଜ୍ୟୋତିଷଶାସ୍ତ୍ରରେ ସବୁ ଗ୍ରହମାନଙ୍କ ଅଧିପତି ବୋଲି କୁହାଯାଏ। ସେଥିପାଇଁ ସୂର୍ଯ୍ୟ ଗ୍ରହ ସହ ସମ୍ବନ୍ଧିତ ରାଶି ସତର୍କ ରହିବା ଆବଶ୍ୟକ। ଚନ୍ଦ୍ର ଗ୍ରହଣର ପ୍ରଭାବ ପାଖାପାଖି ମାସେ ଯାଏଁ ରହିବ।

ବୃଷ - ଆସନ୍ତା ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ଲାଗିବ। ବୃଷ ରାଶିରେ ଗ୍ରହଣର ପ୍ରଭାବ ସବୁଠାରୁ ଅଧିକ ପଡିବ। ବୃଷ ରାଶିରେ ବର୍ତ୍ତମାନ ପାପ ଗ୍ରହ ରାହୁ ବିରାଜମାନ। ସେଥିପାଇଁ ଭ୍ରମ ପରିସ୍ଥିତି ଉପୁଜିପାରେ। କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ବୁଝି ବିଚାରି କରିବା ଉଚିତ। ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଲେଣଦେନରେ ତରବରିଆ ନିଷ୍ପତ୍ତି ହାନିର କାରଣ ହୋଇପାରେ।

ସିଂହ - ଚନ୍ଦ୍ର ଗ୍ରହଣ କୃତ୍ତିକା ନକ୍ଷତ୍ରରେ ଲାଗିବ। କୃତ୍ତିକା ନକ୍ଷତ୍ରର ଗୁରୁ ସୂର୍ଯ୍ୟ ଏବଂ ସିଂହ ରାଶିର ଗୁରୁ ମଧ୍ୟ ସୂର୍ଯ୍ୟଦେବ। ସେଥିପାଇଁ ସିଂହ ରାଶିରେ ମଧ୍ୟ ଗ୍ରହଣର ପ୍ରଭାବ ପଡିବ। ମାସେ ଯାଏଁ ବାଦବିବାଦରୁ ଦୁରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଥଣ୍ଡା ମିଜାଜ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରୀ ଓ କ୍ୟାରିଅର କ୍ଷେତ୍ରରେ ବାଧା ଉପୁଜିପାରେ। ଶତ୍ରୁ କିମ୍ବା ପ୍ରତିଦ୍ବନ୍ଦୀ କ୍ଷତି କରିବାକୁ ଉଦ୍ୟମ କରିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ବିଶେଷ ସତର୍କ ରହିବା ଆବଶ୍ୟକ।

ବୃଷ ଓ ସିଂହ ଛଡା ଅନ୍ୟ ରାଶି ମଧ୍ୟ ସତର୍କ ରହିବା ଆବଶ୍ୟକ। ଚନ୍ଦ୍ରମାକୁ ମନର କାରକ ବୋଲି କୁହାଯାଏ। ଗ୍ରହଣ ସମୟରେ ଚନ୍ଦ୍ରମା ପୀଡିତ ହୋଇଥାନ୍ତି। ଚନ୍ଦ୍ରମା କ୍ଷୀଣ ହେବାରୁ ସବୁ ରାଶିର ଚନ୍ଦ୍ରମା ପ୍ରଭାବିତ ହୋଇଥାନ୍ତି। ଏହି ସମୟରେ ଖରାପ ଲୋକଙ୍କ ଠାରୁ ଦୁରେଇ ରହିବା, ଖରାପ ଅଭ୍ୟାସରୁ ଦୁରେଇ ରହିବା ଆବଶ୍ୟକ। ନିଶା ଓ ଭୁଲ କାମ କରିବା ଅନୁଚିତ। ଦାନ ଧର୍ମ କରିବା ଉଚିତ। ପିତାମାତାଙ୍କ ସେବା କରିବା ଉଚିତ। ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ଓ ପୂଜା କରିବା ଦ୍ୱାରା ଆଶ୍ବସ୍ତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.