‘ମୋ ବାପା ଆଡମିଟ୍ ହୋଇଛନ୍ତି, ଏବେ କଣ ହେବ’: ଲକ୍ଷ୍ନୌ-ଅହମଦାବାଦ ସବୁଠି ବେଡ୍ ପାଇଁ ଟଣାଓଟରା, ଅକ୍ସିଜେନ୍‌ର ବି ଅଭାବ

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୪: ଦେଶରେ ଏବେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ହସ୍ପିଟାଲରେ ବେଡ୍‌ ମିଳୁନି ତ ପୁଣି କେଉଁଠି ଅକ୍ସିଜେନ୍‌ର ଅଭାବ ରହିଛି। ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଦିଲ୍ଲୀ ହେଉ କି ଲକ୍ଷ୍ନୌ ସବୁଠି ହାହା କାର। କରୋନା ମହାମାରୀ କାୟା ମେଲାଇଥିବା ବେଳେ ଲୋକେ ଶେଷ ଆଶା ଭାବେ ହସ୍ପିଟାଲକୁ ଦୌଡ଼ୁଛନ୍ତି। କିନ୍ତୁ ସେଠାରେ ଚିକିତ୍ସା ପାଇବା ତ ଦୂରର କଥା ବେଡ୍‌ଟିଏ ବି ମିଳୁନାହିଁ। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହାଲ ବେହାଲ ହୋଇପଡ଼ିଛି। ପ୍ରତ୍ୟେକ ମୁହୂର୍ତ୍ତରେ କିଛି ବିକଳ ଚିତ୍ର ଦେଖିବାକୁ ମଳୁଛି।

ହସ୍ପିଟାଲ ବାହାରେ ଜଣେ ଯୁବତୀ କାନ୍ଦି କାନ୍ଦି ବେହାଲ ହୋଇପଡ଼ିଥିବା ନେଇ ଖବର ମିଳିଛି। ଏହା ପଛର କାରଣ ହୃଦୟ ବିଦାରକ। ହସ୍ପିଟାଲରେ ଅକ୍ସିଜେନ୍‌ ଉପଲବ୍ଧ ନଥିବା ବେଳେ ତାଙ୍କ ବାପାଙ୍କୁ ଆଡମିଟ୍‌ କରାଯାଉ ନାହିଁ । ମେୟୋ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ସ୍ପେଶାଲ ଘୋଷଣା କରିଥିବା ବେଳେ ଏଠାରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ହସ୍ପିଟାଲ ବହାରେ କାନ୍ଦୁଥିବା ଯୁବତୀଙ୍କ କହିବା କଥା ହେଲା, ହସ୍ପିଟାଲ କହୁଛି ଅକ୍ସିଜେନ୍‌ ନାହିଁ। ଆମେ ଏଠାରୁ କେଉଁଆଡ଼େ ଯିବୁ ? ଏମାନେ ଏମିତି କେମିତି କରୁଛନ୍ତି ? ଏମାନେ ମୋ ବାପାଙ୍କୁ ବାହାର କରିଦେଲେ ଏବେ ଆମେ କେଉଁଆଡ଼େ ଯିବୁ ? କେବଳ ଜଣେ ବ୍ୟକ୍ତି ନୁହେଁ ହସ୍ପିଟାଲ ବାହାରେ ଛିଡ଼ା ହୋଇଥିବା ପ୍ରତି ଲୋକଙ୍କ ମୁହଁରେ ସମାନ ପ୍ରଶ୍ନ ।

ସେହିଭଳି ଗୁଜୁରାଟର ଅହମଦାବାଦରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ବିଗିଡ଼ିଛି। ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ଲୋକେ ଘରେ ଚିକିତ୍ସିତ ହୋଇପାରୁନାହାନ୍ତି। ଅକ୍ସିଜେନ୍‌ ମିଳିପାରୁନଥିବାରୁ ଲୋକେ ଅକ୍ସିଜେନ୍‌ ରିଫିଲିଂ ସେଣ୍ଟର ବାହାରେ ଲମ୍ବା ଲାଇନ୍‌ ଲଗାଇଛନ୍ତି। ଅହମଦାବାଦରୁ ଆଉ ଏକ ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ମିଳିଛି। ଜଣେ ଯୁବକ ଏବଂ ଜଣେ ଯୁବତୀ ଆମ୍ବୁଲାନ୍ସକୁ ବାରମ୍ବାର କଲ୍‌ କରିଚାଲିଛନ୍ତି। କାରଣ ବାପା-ମାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଛି। କିନ୍ତୁ ଆମ୍ବୁଲାନ୍ସ ଆସିବାର ନାଁ ଧରୁନି। ଆମ୍ବୁଲାନ୍ସ ମିଳୁନି, ହସ୍ପିଟାଲରେ ବେଡ୍‌ ମିଳୁନି, ଅକ୍ସିଜେନ୍‌ ଭରିବାକୁ ଖାଲି ସିଲିଣ୍ଡର ବି ମିଳୁନି। ଯଦି କାହାକୁ ସିଲିଣ୍ଡର ମିଳୁଛି ତେବେ ସେଥିପାଇଁ ମୋଟାଅଙ୍କର ଟଙ୍କା ଦେବାକୁ ପଡ଼ୁଥିବା ଅଭିଯୋଗ ହେଉଛି।

ମଧ୍ୟପ୍ରଦେଶ ଭୋପାଳରେ ସାମନ ସ୍ଥିତି। ଭେଲ୍‌ ପ୍ଲାଣ୍ଟରେ ଲମ୍ବା ଲାଇନ୍‌। ଅକ୍ସିଜେନ୍‌ ରିଫିଲ୍‌ କରିବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତ। ହସ୍ପିଟାଲରେ ଅକ୍ସିଜେନ୍‌ କମ୍‌ ପଡ଼ୁଥିବାରୁ କର୍ତ୍ତୃପକ୍ଷ ରୋଗୀଙ୍କ ପରିଜନଙ୍କୁ ନିଜ ଆଡ଼ୁ ବ୍ୟବସ୍ଥା କରିବାକୁ କହିଦେଇଛନ୍ତି। ସେପଟେ ରାଜଧାନୀ ଦିଲ୍ଲୀର ଅବସ୍ଥା ନକହିବା ଭଲ। ପ୍ରତିଦିନ ହଜାର ହଜାର ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଉଛନ୍ତି। ହସ୍ପିଟାଲରେ ବେଡ୍‌ ଫୁଲ ହେଉଥିବା ବେଳେ ବିଶେଷ କରି ଆଇସିୟୁ ଏବଂ ଭେଣ୍ଟିଲେଟର ବେଡ୍‌ ପାଇଁ ରୋଗୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମେଡିକାଲ୍‌ ଅକ୍ସିଜେନ୍‌ର ମଧ୍ୟ ଘୋର ଅଭାବ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.