ଧରାପଡିଲା ଅନ୍ତରାଜ୍ୟ ଚୋରାମଦ ରାକେଟ୍, ବିଜେପି ପତକା ତଳେ ଦୀର୍ଘ ଦିନରୁ ଚାଳେଇଥିଲେ କାରବାର
4/07/2019 at 5:36 PM

ଆମେଠି: ଲକ୍ଷ୍ନୌ ଏସଟିଏଫ ଆମେଠିରେ ଏକ ଅନ୍ତରାଜ୍ୟ ଅବୈଧ ନିଶା ତସ୍କର ଗୋଷ୍ଠୀଙ୍କ ଭାଣ୍ଡାଫୋଡ କରିଛି। ସେମାନଙ୍କ ନିକଟରୁ ଏକକାଳୀନ ୪ ହଜାର ୬ଶହ ଲିଟର ଆଲକୋହଲ ଜବତ ହୋଇଛି। ମାମଲାରେ ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଏକ ବିଜେପି ପତକା ଲଗା ଗାଡିକୁ ଜବତ କରିଛି। ଏହି ଗାଡିରେ ଦୀର୍ଘ ବର୍ଷରୁ ନିଶା ତସ୍କର ଅବୈଧ ମଦ ଓ ଅନ୍ୟ ନିଶା ସାମଗ୍ରୀର କାରବାର କରୁଥିଲେ ବୋଲି କହିଛନ୍ତି ମୁସାଫିରଖାନା ସର୍କଲ ସିଇଓ ।

ଅବୈଧ ମଦ ପ୍ରସ୍ତୁତି ନିମନ୍ତେ କଣ୍ଟୈନର ଭର୍ତ୍ତି କଞ୍ଚାମାଲ ସମ୍ପର୍କରେ ଲକ୍ଷ୍ନୌ ଏସଟିଏଫକୁ ପ୍ରଥମେ ସୂଚନା ମିଳିଥିଲା। ସେହି ଅନୁସାରେ କଣ୍ଟୈନରର ପିଛା କରି ଆମେଠୀର କତାରପୁର ଗାଁକୁ ପହଞ୍ଚିଥିଲା ଏସଟିଏଫ। ଚଢଉ ବେଳେ ହରିୟାଣାରୁ ଆସିଥିବା କଣ୍ଟୈନର ଗୌରିୟାବାଦର ବାଲ ଗୋବିନ୍ଦଙ୍କ ନିକଟରେ ପହଞ୍ଚିଥିଲା। ବାଲଗୋବିନ୍ଦ କଞ୍ଚାମାଲରୁ ମଦ ପ୍ରସ୍ତୁତ କରନ୍ତି । ଯାହାକୁ ପୁରା ରାକେଟ ମିଶି ରାଜ୍ୟ ସମେତ ପଡୋଶୀ ରାଜ୍ୟକୁ ମଧ୍ୟ ପଠାନ୍ତି।

ମାମଲାରେ ପୋଲିସ ଓ ଏସଟିଏଫ ବାଲ ଗୋବିନ୍ଦ ସମେତ ୧୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅଲକୋହଲ ସମେତ ମଦ ପ୍ରସ୍ତୁତି ନିମନ୍ତେ ଅନ୍ୟ କଞ୍ଚାମାଲ ଓ ବିଜେପି ପତାକା ଲାଗିଥିବା ଏକ କାର ଜବତ ହୋଇଛି। ତେବେ ଗିରଫ ଅଭିଯୁକ୍ତ ଅଥବା କାର ସହ ରାଜ୍ୟ ବିଜେପିର କୌଣସି ସମ୍ପର୍କ ନଥିବା କୁହାଯାଇଛି।