ହୀନ ମାନସିକତା : ଵିଵସ୍ତ୍ର ହୋଇ ମହିଳାମାନଙ୍କୁ କରୁଥିଲା ଭିଡିଓ କଲ୍, ୭୧ଟି ମାମଲା ରୁଜ୍ଜୁ ପରେ ଗିରଫ ହେଲା ଯୁବକ

Published By : Prameya-News7 Bureau | June 07, 2020 IST

ଲକ୍ଷ୍ନୌ ୦୭/୦୬ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି | ଵିଵସ୍ତ୍ର ହୋଇ ଯୁବତୀଙ୍କୁ ଭିଡିଓ କଲ କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି | ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଠାକୁରଗଞ୍ଜରୁ ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି | ଅଭିଯୁକ୍ତ ବିରୋଧରେ ମହିଳା ପାୱାର ଲାଇନ ୧୦୯୦ ଅନୁଯାୟୀ ୭୧ଟି ମାମଲା ରୁଜ୍ଜୁ ହୋଇଥିଲା | ଅଭିଯୁକ୍ତ ଯୁବକ ସ୍କ୍ରିନସର୍ଟ ନେଇ ଯୁବତୀମାନଙ୍କୁ ହଇରାଣ ହରକତ କରୁଥିଲା | ବାରମ୍ବାର ଚେତାବନୀ ସତ୍ତ୍ୱେ ଅଭିଯୁକ୍ତ ନ ସୁଧୁରିବାରୁ ତାକୁ ପୋଲିସ ଗିରଫ କରିଛି |

ଏଡିଜି ନୀରା ରାବତ କହିଛନ୍ତି ଯେ, ମହିଳା ପାୱାର ଲାଇନର ଏଡିଜି ପଦବୀ ପରେ ସମ୍ଭାଳିବା ପରେ ସମସ୍ତ ଲିଖିତ ଅଭିଯୋଗ ସମ୍ପର୍କରେ ଯାଞ୍ଚ କରିଥିଲେ | ୨୦୧୭ ମସିହାରୁ ଏବେ ସୁଦ୍ଧା ଠାକୁରଗଞ୍ଜର ଲକ୍ଷ୍ମୀକାନ୍ତ ବିରୋଧରେ ଫୋନ ଓ ସୋସିଆଲ ମିଡ଼ିଆ ଜରିଆରେ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ୭୧ ଟି ମାମଲା ରୁଜ୍ଜୁ ହୋଇଥିଲା | ଏ ସମ୍ପର୍କରେ ନୀରା ରାବତ ଲକ୍ଷ୍ନୌ ପୋଲିସ କମିଶନରଙ୍କ ସହ କଥାବାର୍ତ୍ତା କରିଥିଲେ | ଏହାପରେ ଲକ୍ଷ୍ମୀକାନ୍ତକୁ ଠାକୁରଗଞ୍ଜ ପୋଲିସ ଆଇଟି ଆକ୍ଟ ଅନୁଯାୟୀ ମହିଳାମାନଙ୍କୁ ଅସଦାଚରଣ ମାମଲାରେ ଗିରଫ କରିଛି |

ଏଡିଜି ନୀରା ରାବତ କହିଛନ୍ତି ଯେ, ୨୮ ବର୍ଷ ବୟସ୍କ ଲକ୍ଷ୍ମୀକାନ୍ତ ପେସାରେ ଜଣେ ଡ୍ରାଇଭର ଓ ଏକ ଅପରାଧୀ ମଧ୍ୟ | ବିଭିନ୍ନ ଜାଗାରୁ ମହିଳା ଓ ଯୁବତୀଙ୍କ ଫୋନ ନମ୍ବର ସଂଗ୍ରହ କରି ତାଙ୍କୁ ଅଶ୍ଳୀଳ ମେସେଜ, ଫୋନ କଲ, ଭିଡିଓ କଲ ଆଦି କରି ମହିଳାମାନଙ୍କୁ ହଇରାଣ ହରକତ କରିଥାଏ | ମହଲା ପାୱାର ଲାଇନ ତରଫରୁ ତାକୁ ଅନେକଥର ଚେତାବନୀ ଦିଆଯାଇଥିଲା | କିନ୍ତୁ ତଥାପି ସେ ସୁଧୁନଥିଲା | ଏହାପରେ ତା ବିରୋଧରେ ଏକ ଅପରାଧିକ ମାମଲା ରୁଜ୍ଜୁ କରି ତାକୁ ଗିରଫ କରାଯାଇଛି |

ଲକ୍ଷ୍ମୀକାନ୍ତ ଵିଵସ୍ତ୍ର ହୋଇ ମହିଳାମାନଙ୍କୁ ଭିଡିଓ କଲ କରୁଥିଲା ବୋଲି ଏଡିଜି ନୀରା ରାବତ କହିଛନ୍ତି | ମହିଳାମାନେ ତାକୁ ବିରୋଧ କଲେ ସେମାନଙ୍କୁ ଧମକ ମଧ୍ୟ ଦେଉଥିଲା | ନୀରା ରାବତ କହିଛନ୍ତି, ମହିଳା ଅପରାଧୀଙ୍କ ବିରୋଧରେ ୨୪ ଘଣ୍ଟିଆ ମହିଳା ପାୱାର ଲାଇନ ହେଲ୍ପଲାଇନ ନମ୍ବର ୧୦୯୦ କାମ କରୁଛି | ନିଜ ବିରୋଧରେ ହେଉଥିବା ଅପରାଧକୁ ପ୍ରସୟା ନଦେଇ ତା ବିରୋଧରେ ଅଭିଯୋଗ କରିବାକୁ ମହିଳାମାନଙ୍କୁ ଅପିଲ କରାଯାଇଛି | ନୀରା ରାବତ କହିଛନ୍ତି, ମହିଳାଙ୍କୁ ହଇରାଣ କରୁଥିବା ଲୋକଙ୍କୁ ସେମାନେ ପ୍ରଥମେ ଚେତାବନୀ ଦେଇଥାନ୍ତି, ବୁଝନ୍ତି, ସୁଧୁରିବ ପାଇଁ ମଉକା ଦେଇଥାନ୍ତି | ତଥାପି ନ ମାନିଲେ ଶେଷକୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.