ସିଏଏ ହିଂସା: ୟୁପିରେ ୫ ଜଣଙ୍କଠୁ ଭରଣା ହେଲା ୧ କୋଟି ୫୪ ଲକ୍ଷ ଟଙ୍କା, ସିଲ୍ ହେଲା ଦୋକାନ
2/07/2020 at 9:15 PM

ଲକ୍ଷ୍ନୌ ୦୨।୦୭: ଡିସେମ୍ବର ମାସରେ ସିଏଏ-ଏନଆରସି ବିରୋଧରେ ଲକ୍ଷ୍ନୌର ସଡକରେ ଭଙ୍ଗାରୁଜା ଓ ପୋଡାଜଳା କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ହିଂସାରେ ସଂପୃକ୍ତ ୫୪ ଜଣଙ୍କ ମଧ୍ୟରୁ ୫ ଆରୋପୀଙ୍କଠୁ ୧ କୋଟି ୫୪ ଲକ୍ଷ ଟଙ୍କା ଆଦାୟ କରିବାକୁ ଆଦେଶ ଜାରି କରିଛି। ମଙ୍ଗଳବାର ହଂସରାଜ ସ୍ଥିତ ଏନଓ୍ଵାଇ ଫ୍ୟାସନ ସେଣ୍ଟର ସମେତ ଅଭିଯୁକ୍ତଙ୍କ ଅନ୍ୟ କୋଠା ସିଲ୍ କରି ଦିଆଯାଇଛି। ଗୁରୁବାର ସୁରମନଗରରେ ଘଟିଥିବା ହିଂସାରେ ଜଣେ ଆରୋପି ନଫିସର ଦୋକାନକୁ ମଧ୍ୟ ସିଲ୍ କରାଯାଇଛି।
ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ୫ ଲୋକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ନଫିସ ଅହମ୍ମଦ ଉପରେ ୬୪ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଲଗାଯାଇଛି। ନୋଟିସ୍ ପରେ ବି ଜରିମାନା ପୈଠ ନହେବାରୁ ପ୍ରଶାସନ ଗୁରୁବାର ଦୋକାନ ସିଲ୍ ମାରିଛି। ସଦର ତହସିଲଦାର ଶମ୍ଭୁ ଶରଣ ସିଂହ କହିଛନ୍ତି ଯେ, ସିଏଏ ବିରୋଧି ପ୍ରଦର୍ଶନ ମାମଲାରେ ୫୪ ଜଣଙ୍କ ବିରୋଧରେ ଅର୍ଥ ଆଦାୟର ନୋଟିସ୍ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ହସନଗଞ୍ଜ ଅଞ୍ଚଳରେ ଦୁଇ ସଂପତ୍ତି ମଙ୍ଗଳବାର ଜବତ୍ କରାଯାଇଛି। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି। ସିଲ୍ ହୋଇଥିବା ସଂପତ୍ତି ମଧ୍ୟରେ ଏନଓ୍ଵାଇ ଫ୍ୟାସନ ସେଣ୍ଟର ନାମରେ ଏକ କପଡା ଦୋକାନ ଓ ଅନ୍ୟଟି ଆଉ ଏକ ଦୋକାନ ସାମିଲ।
ସଂପତ୍ତି ଜବତ୍ କରିବାର କାର୍ଯ୍ୟାନୁଷ୍ଠାନ ଉପ ଜିଲ୍ଲାପାଳ ଟ୍ରାନ୍ସ ଗୋମତି ବିଶ୍ଵ ଭୂଷଣ ମିଶ୍ରଙ୍କ ଆଦେଶରେ କରାଯାଇଛି। ଏନଓ୍ଵାଇ ଫ୍ୟାସନ ସେଣ୍ଟରର ସହାୟକ ଭଣ୍ଡାର ପ୍ରବନ୍ଧକ ଧର୍ମବୀର ସିଂହ ଓ ଅନ୍ୟ ଦୋକାନ ମାଲିକ ମାହେନୁର ଚୌଧୁରୀ ସିଏଏ ବିରୋଧୀ ହିଂସା ମାମଲାରେ ଆରୋପି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୧୯ରେ ସିଏଏ-ଏନଆରସି ବିରୋଧରେ ପ୍ରଦର୍ଶନ ସମୟରେ ବଡ ଧରଣର ହିଂସାକାଣ୍ଡ ଘଟିଥିଲା। ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ। ଏଥିରେ କୋଟି କୋଟି ଟଙ୍କାର ସରକାରୀ ଏବଂ ଘରୋଇ ସଂପତ୍ତି ନଷ୍ଟ ହୋଇଥିଲା। ପ୍ରଶାସନ ଏହି ମାମଲାରେ ୫୦ ଜଣଙ୍କଠୁ ଭରଣା ଆଦାୟର ନୋଟିସ୍ ଜାରି କରିଥିଲା। ମାର୍ଚ୍ଚରେ ଜିଲ୍ଲା ପ୍ରଶାସନ ଆରୋପିଙ୍କ ପୋଷ୍ଟତ ଅନେକ ଜାଗାରେ ମାରିଥିଲେ। କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ପ୍ରସ୍ତାବ କ୍ରମେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୦ରେ ସମସ୍ତ ଆଦାୟ ଓ ସିଲ୍ ମାରିବା ପ୍ରକ୍ରିୟାକୁ ଅସ୍ଥାୟୀ ଭାବେ ବନ୍ଦ ରଖିଥିଲେ।