ଜାନୁୟାରୀ-ଜୁଲାଇ ୭ ମାସରେ ୫ଥର ବଢିଲା ରୋଷେଇ ଗ୍ୟାସ୍ ଦର, ଜାଣନ୍ତୁ ଏଥର ମହଙ୍ଗା ହେଲା କେତେ ?

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୧।୭: ତିନିମାସର ନିରବତା ପରେ ତୈଳ କମ୍ପାନୀମାନେ ଜୁଲାଇରେ ପୁଣି ରୋଷେଇ ଗ୍ୟାସ ଦର ବୃଦ୍ଧି କରିଛନ୍ତି। ଗତ ଜାନୁୟାରୀରୁ ଏପର୍ଯ୍ୟନ୍ତ  ୭ ମାସରେ ଇନ୍ଧନ ଗ୍ୟାସ୍‌ ଦରରେ ୫ ଥର ବୃଦ୍ଧି ହେଲାଣି। ଏଥର ସିଲିଣ୍ଡର ପିଛା ୨୫ଟଙ୍କା ୫୦ ପଇସା ମହଙ୍ଗା ହୋଇଥିବା ବେଳେ ୨୦୨୧ରେ  ରନ୍ଧନ ଗ୍ୟାସ ମୂଲ୍ୟରେ ଏପର୍ଯ୍ୟନ୍ତ ୧୪୦ଟଙ୍କା ୫୦ ପଇସା ବଢିଲାଣି। ଜାନୁୟାରୀରେ ୧୪.୨ କେଜି ଓଜନର ପ୍ରତି ସିଲିଣ୍ଡର ପିଛା ମୂଲ୍ୟ ଦିଲ୍ଲୀରେ ୬୯୪ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଗ୍ରାହକଙ୍କୁ ୮୩୪ଟଙ୍କା ୫୦ ପଇସା ଦେବାକୁ ପଡିବ।

{"id":474143,"width":836,"height":589,"sizeSlug":"large","linkDestination":"none"}

ଚଳିତବର୍ଷ ଫେବୃଆରୀ ମାସରେ ତୈଳ କମ୍ପାନୀମାନେ ଏଲପିଜି ଦର ୩ ଥର ବୃଦ୍ଧି କରିଥିଲେ। ପ୍ରଥମେ ଫେବୃଆରୀ ୪ ତାରିଖରେ ସିଲିଣ୍ଡର ପିଛା ୨୫ ଟଙ୍କା ବଢାଇଥିବା ବେଳେ ୧୪ ଫେବୃଆରୀରେ ଏକକାଳୀନ ୫ଟଙ୍କା ଓ ପରବର୍ତ୍ତି ବୃଦ୍ଧିରେ ଆଉ ୨୫ଟଙ୍କା ବଢାଇଥିଲେ। ଏଥିରେ ଭରଣା ହୋଇନଥିଲା ଏଣୁ ମାର୍ଚ୍ଚ ୧ ତାରିଖରେ ସିଲିଣ୍ଡର ପିଛା ପୁଣି ୨୫ଟଙ୍କା ବୃଦ୍ଧି ହୋଇଥିଲା। ତେବେ ଏପ୍ରିଲରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତୈଳ କମ୍ପାନୀମାନେ ୧ ଏପ୍ରିଲରେ ପ୍ରତି ସିଲିଣ୍ଡର ୧୦ ଟଙ୍କା ଶସ୍ତା କରିଥିଲେ।

{"id":474144,"width":838,"height":471,"sizeSlug":"large","linkDestination":"none"}

ଜୁଲାଇ ମାସ ଆରମ୍ଭରେ ତୈଳ କମ୍ପାନୀ ପୁଣି ଗ୍ୟାସ ସିଲିଣ୍ଡର ପିଛା ଦର ସୁଧାର କରିଛନ୍ତି। ଏଥିରେ ପ୍ରତି ସିଲିଣ୍ଡର ପିଛା ୨୫ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିବା ବେଳେ ବିନା ସବସିଡି ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୮୦୯ ଟଙ୍କାରୁ ବଢି ୮୩୪ଟଙ୍କା ୫୦ ପଇସାରେ ପହଞ୍ଚିଛି। ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଥିବା ବେଳେ ଅନ୍ୟପଟେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୭ ମାସରେ ୧୪୦ଟଙ୍କା ୫୦ ପଇସା ମହଙ୍ଗା ହେବା ଲୋକଙ୍କ ରୋଷେଇ ଘର ବଜେଟ୍ ଘରର ଖର୍ଚ୍ଚ ବିଗାଡି ଦେଲାଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.