୭ ବର୍ଷରେ ଦୁଇ ଗୁଣ ବଢିଛି ରୋଷେଇ ଗ୍ୟାସ୍ର ମୂଲ୍ୟ, ପେଟ୍ରୋଲ-ଡିଜେଲ୍ ଉପରେ ଟ୍ୟାକ୍ସ ସଂଗ୍ରହ ୪୫୯ ପ୍ରତିଶତରୁ ଅଧିକ
8/03/2021 at 10:47 PM

ନୂଆଦିଲ୍ଲୀ ୦୮।୦୩: କେନ୍ଦ୍ର ସରକାର ଗତ କିଛି ମାସରେ ରୋଷେଇ ଗ୍ୟାସ୍ରେ ଅହେତୁକ ଦାମ ବଢାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୭ ବର୍ଷରେ ଘରୋଇ ରୋଷେଇ ଗ୍ୟାସ୍ର ଦର ଦୁଇ ଗୁଣା ବୃଦ୍ଧି ଘଟି ସିଲିଣ୍ଡରର ଦାମ ୮୧୯ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଦାୟ ହେଉଥିବା ଟ୍ୟାକ୍ସ ସଂଗ୍ରହରେ ୪୫୯ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ପ୍ରଧାନ କହିଛନ୍ତି ୧୪.୨ କିଲୋଗ୍ରାମର ଘରୋଇ ଗ୍ୟାସ୍ର ଖୁଚୁରା ବିକ୍ରି ମୂଲ୍ୟ ୨୦୧୪ରେ ୪୧୦.୫୦ ଟଙ୍କା ରହିଥିଲା। ହେଲେ ଚଳିତ ମାସରେ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାରେ ପହଞ୍ଚିଛି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଘରୋଇ ସବସିଡି ବିଶିଷ୍ଟ ସିଲିଣ୍ଡରର ଦାମ୍ ୨୦୨୧ରେ ୨୨୫ ଟଙ୍କା ବୃଦ୍ଧି ଘଟିଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୨୦ ଡିସେମ୍ବରରେ ୫୯୪ ଟଙ୍କା ଥିଲା। ବର୍ତ୍ତମାନ ଏହାର ମୂଲ୍ୟ ୮୧୯ ଟଙ୍କାରେ ପହଞ୍ଚିଛି। ଏହି ପରି ସାର୍ବଜନୀନ ଯୋଗାଣ ଜରିଆରେ ଗରିବଙ୍କୁ ଉପଲବ୍ଧ ହେଉଥିବା କିରୋସିନିର ଲିଟର ପିଛା ମୂଲ୍ୟ ୨୦୧୪ରେ ୧୪.୯୬ ଟଙ୍କା ରହିଥିଲା। କିନ୍ତୁ ଏହାର ଦାମ୍ ବଢି ୨୦୨୧ରେ ୩୫.୩୫ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ୍ର ଦାମ ସମଗ୍ର ଦେଶରେ ରେକର୍ଡ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପେଟ୍ରୋଲ ଦାମ୍ ଲିଟର ପ୍ରତି ୯୧.୧୭ ଟଙ୍କା ଏବଂ ଡିଜେଲ୍ ୮୧.୪୭ ଟଙ୍କା ରହିଛି।
ସେ କହିଛନ୍ତି, ପେଟ୍ରୋଲ ଦାମ୍ ୨୦୧୦ ଜୁନ୍ ଏବଂ ଡିଜେଲ୍ର ଦାମ ୨୦୧୪ ଅକ୍ଟୋବର ୧୯ରୁ ବଜାର ନିର୍ଦ୍ଧାରିତ କରିଛି। ସେହି ସମୟରୁ ପବ୍ଲିକ ସେକ୍ଟରର ତୈଳ ବିପଣନକାରୀ କମ୍ପାନୀ(OMCs) ପେଟ୍ରୋଲ ଓ ଡିଜେଲ୍ର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ଉତ୍ପାଦନରେ ହ୍ରାସ, ଏକ୍ସଚେଞ୍ଜ ରେଟ୍, ଟ୍ୟାକ୍ସ ଷ୍ଟ୍ରକଚର, ଇନଲ୍ୟାଣ୍ଡ ଫ୍ରାଇଟ୍ ଆଧାରରେ ନିଷ୍ପତ୍ତି ନେଇ ଆସୁଛି। ଧର୍ମେନ୍ଦ୍ର କହିଛନ୍ତି ଦୁଇ ଇନ୍ଧନ ଉପରେ ଜମା ଟିକସ ମୂଲ୍ୟ ୨୦୧୩ରେ ୫୨, ୫୩୭ କୋଟି ଟଙ୍କା ଥିଲା। ଯାହା ୨୦୧୯-୨୦ରେ ବୃଦ୍ଧି ଘଟି ୨.୧୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ୧୧ ମାସରେ ଟ୍ୟାକ୍ସ ସଂଗ୍ରହ ବଢି ୨.୯୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି।