ନିମ୍ନମାନର ରାସ୍ତା ନିର୍ମାଣ କାମ, ମାତ୍ର ୨ ଦିନ ପରେ ହାତମାରିଲେ ଉଠିଯାଉଛି ପିଚୁ

Published By : Prameya-News7 Bureau | July 31, 2021 IST

ଖଲ୍ଲିକୋଟ ୩୧।୭: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସରଭିଁପୁର ଗ୍ରାମଠାରୁ ଗଙ୍ଗାପୁରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ରୋଡ଼ ରାସ୍ତାର ଉନ୍ନତିକରଣ ଓ ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ଲୁଚି ରହିଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ବିକାଶ କାର୍ଯ୍ୟ ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରୁଥିବା ବେଳେ, କିନ୍ତୁ ଏଠି ବିକାଶ ନାଁରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ଠିକାଦାରର ମଧୁଚନ୍ଦ୍ରିକାରେ ସରକାରୀ ଅର୍ଥର ଲକ୍ଷ ଲକ୍ଷ ଟଙ୍କା ଶୋଷଣ କରାଯାଉଛି। ରାସ୍ତା ମରାମତି କାର୍ଯ୍ୟରେ ଅତି ନିମ୍ନମାନର ପିଚୁ ବିଛାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାମ କରିବାର ମାତ୍ର ଦୁଇ ଦିନ ପରେ ରାସ୍ତାରୁ ଉଠି ପଡ଼ିଲାଣି ପିଚୁ ।

{"id":488692,"sizeSlug":"full","linkDestination":"none"}

ପୂର୍ବରୁ ଭଲ ଥିବା ରାସ୍ତାରେ ନାମକୁ ମାତ୍ର ପିଚୁ ବିଛାଇ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା ଉପରେ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକ ନିର୍ଭର କରିଥାନ୍ତି । ବଉଳଗାଁ, ବିପୁଳିଙ୍ଗି, ଚିକଲଖଣ୍ଡି, ଛତ୍ରପୁର, ପୋଟଲାମପୁର ଆଦି ଅଞ୍ଚଳର ସହ ସହ ଲୋକ ଦୈନନ୍ଦିନ ନିର୍ଭର କରିଥାନ୍ତି । ଏଣୁ ଉକ୍ତ ରାସ୍ତାଟି ବହୁ ଗୁରୁତ୍ବ ବହନ କରୁଛି । ଉକ୍ତ ବିଷୟରେ ଆରଡ଼ି ବିଭାଗ କନିଷ୍ଠ ଯନ୍ତ୍ରୀ ସଚ୍ଚିକାନ୍ତ ଦାଶଙ୍କୁ ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବା ନେଇ  ପଚାରିବାରୁ ମେଣ୍ଟେନାନ୍ସ ପାଇଁ ୪ ଶହ ମିଟର ରାସ୍ତାର ମରାମତି ପାଇଁ ୩ ଲକ୍ଷ ଆସିଛି । ମୁଁ ନିଜେ ନିର୍ମାଣ କାର୍ଯ୍ୟରେ ଉପସ୍ଥିତ ଥିଲି ଭଲ କାମ ହୋଇଛି । ଯଦି ଖରାପ କାମ ହୋଇଛି ତେବେ ଠିକାଦାରର ବିଲ୍ କରାଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.