ଲଘୁଚାପ ସକ୍ରିୟ : ୬ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ, ୧୪ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା !

Published By : Prameya-News7 Bureau | June 12, 2021 IST

ଭୁବନେଶ୍ୱର, ୧୨|୦୬: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ଆଖାପାଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହାସହ ଜଡିତ ଘୂର୍ଣ୍ଣବଳୟ ସମୁଦ୍ର ପତନଠାରୁ ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ବ୍ୟାପିଛି। ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ପ୍ରଭାବରେ ରାଜ୍ୟରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଏବଂ ଅନୁଗୋଳ ଭଳି ୬ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଠାରେ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଏବଂ ଦେବଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଜପତି, ଗଞ୍ଜାମ, ରାୟଗଡା ଏବଂ କନ୍ଧମାଳ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ଜାରି ରହିବ । ସେଥିପାଇଁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.