ଭୁବନେଶ୍ବର୨୯|୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା । ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିଲାଗି ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯିବା ସହ ଚାଷୀଙ୍କ ଲାଗି ଆଡଭାଇଜରି ଜାରି ହୋଇଛି । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିବସ ପାଳନ କରୁଥିବା ରାଜ୍ୟ ସରକାର, ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଜାରି କରିବାକୁ ଆଲର୍ଟ ସାଇରନ ଟାଓ୍ବାରର ଶୁଭାରମ୍ଭ କରିଛନ୍ତି ।

ଘନଉଛି ଲଘୁଚାପ । ୨୪ ଘଣ୍ଟା ଭିତରେ ବର୍ଷିବା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଏବେ ଉତ୍ତର-ପଶ୍ଚିମ ଦିଗରେ ଘନୀଭୂତ ହେବାରେ ଲାଗିଛି । ଯାହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହା ସହ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ଲାଗି ଆଡଭାଇଜରୀ  ଜାରି କରାଯାଇଛି । କିନ୍ତୁ ଆକାଶରେ ଭସା ବାଦଲ ଦେଖି ଚାଷୀ ମନରେ ଛନକା  ପଶିଯାଇଛି।