ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା

Published By : Prameya-News7 Bureau | July 25, 2021 IST

ଭୁବନେଶ୍ୱର, ୨୫|୦୭:    ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ବର୍ଷା ବଢ଼ିବା ନେଇ ଆକଳନ କରାଯାଉଛି । ୨୯ ତାରିଖ ଯାଏଁ ଏହା ରାଜ୍ୟରେ ବର୍ଷା କରାଇବ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ।

ପାଣିପାଗ ବିଭାଗ ଆକଳନ କରିଛି, ରବିବାର ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ତଥାପି କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।ବର୍ଷା ବଢ଼ିବ ମଙ୍ଗଳବାର (୨୬ ତାରିଖ)ଠାରୁ । ଅନେକ ସ୍ଥାନରେ ବର୍ଷା ହେବ । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ବୁଧବାର (୨୮ ତାରିଖ) ବର୍ଷା ବଢ଼ିବ । ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷ କରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୯ରେ ବର୍ଷା ସାମାନ୍ୟ କମିବ ।

ଏବେ ଏବେ ଯାଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ନିଅଣ୍ଟିଆ ବର୍ଷା କେତେକାଂଶରେ ଭରଣା ହୋଇଛି । ଯଦିଓ ବର୍ତ୍ତମାନ ସୁଦ୍ଧା ୧୧ଟି ଜିଲ୍ଲାରେ ସ୍ୱାଭାବିକଠାରୁ ବର୍ଷା ପରିମାଣ କମ୍‌ ରହିଛି, ତଥାପି ପୂର୍ବାପେକ୍ଷା ସ୍ଥିତି ସୁଧୁରିଛି । ତଥାପି ଦକ୍ଷିଣ ଓଡ଼ିଶାରେ ବର୍ଷା କମ୍‌ ଥିବା ଯୋଗୁ ଚାଷ କାମ ବାଧାପ୍ରାପ୍ତ ହୋଇଛି । ବିଶେଷଜ୍ଞଙ୍କ ପୂର୍ବାନୁମାନ ହେଲା, ପ୍ରଥମ ଲଘୁଚାପଠାରୁ ଦ୍ୱିତୀୟ ଲଘୁଚାପ ପ୍ରଭାବରେ କମ୍‌ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବର୍ଷା କମ୍‌ ରହିବ । ରାଜ୍ୟରେ ଏବେ ସ୍ୱାଭାବିକଠାରୁ ୧୭% କମ୍‌ ବର୍ଷା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.