ଆସୁଛି ଦୁଇଟି ଲଘୁଚାପ, କିନ୍ତୁ ହେବନି ବଡ ବର୍ଷା : ଧାନ ଫସଲ ପାଇଁ ବଢିବ ସମସ୍ୟା

Published By : Prameya-News7 Bureau | July 09, 2021 IST

ଭୁବନେଶ୍ୱର୦୯/୦୭: ଲଘୁଚାପ ଆସୁଛି । ଆସନ୍ତା ୧୧ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପରେ ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ । ମାତ୍ର ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି, ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ହେଲେ ବି ରାଜ୍ୟରେ ଆଶାନୁଯାୟୀ ବର୍ଷା ହୋଇନପାରେ । ବିସ୍ତୃତ ଅଞ୍ଚଳରେ କିମ୍ବା ବଡ଼ ବର୍ଷା ସମ୍ଭାବନା କମ୍‌ । ଯଦି ଏମିତି ହୁଏ, ରାଜ୍ୟରେ ଏଯାବତ୍‌ ଲାଗି ରହିଥିବା ବର୍ଷା ଅଭାବ ସ୍ଥିତି ଆହୁରି ଉତ୍କଟ ହେବ । ଏହା ଧାନ ଫସଲ ପାଇଁ ସମସ୍ୟା ବଢ଼ାଇବ ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୧୧ ତାରିଖରେ ଗୁଜରାଟରୁ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପୂର୍ବ ଭାଗରେ ବିଶାଖାପାଟଣାର ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ୧୨ରେ । ଏହା ୧୩ ତାରିଖ ସକାଳ ସୁଦ୍ଧା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଜୁଲାଇ ୧୮ ତାରିଖବେଳକୁ ବିଶାଖାପାଟଣାର ଦକ୍ଷିଣରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହି ଦୁଇଟି ଲଘୁଚାପ ଦ୍ୱାରା ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଆକଳନ କରାଯାଉଛି, ଆସନ୍ତା ୨୦ ତାରିଖ ସୁଦ୍ଧା ଗଜପତି, ଗଞ୍ଜାମ, ଅବିଭକ୍ତ କୋରାପୁଟରେ ସମୁଦାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାମାନଙ୍କର ଦକ୍ଷିଣାଞ୍ଚଳ ସହିତ ବାଲେଶ୍ୱର, ମୟୂରଭଞ୍ଜରେ ୫୦ ମିମି ଓ ବାକି ଅଞ୍ଚଳରେ ହାରାହାରି ୪୦ ମିମି ବର୍ଷା ସମ୍ଭାବନା ଅଛି । ଜୁଲାଇ ୯ରୁ ୨୩ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୭୦ ମିମି ବର୍ଷା ହେବା କଥା । ହେଲେ ଏହି ସମୟ ଭିତରେ ହାରାହାରି ୮୫ ମିମି ବର୍ଷା ହୋଇପାରେ । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ ବର୍ଷା ଅଭାବ ସ୍ଥିତି କିଭଳି ବିଗିଡ଼ିପାରେ । 

ଆସନ୍ତା ୧୧ ତାରିଖରେ ଉପକୂଳ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୩, ୧୪ ଓ ୧୫ ତାରିଖରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ବାଲେଶ୍ୱରରେ ସ୍ପଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ନୂଆପଡ଼ା, କନ୍ଧମାଳର କିଛି ଅଂଶ, ନବରଙ୍ଗପୁର ଜିଲ୍ଲାରେ ୧୩ରୁ ୧୫ ଯାଏଁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ଭାରି ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । 

ଏହି ଲଘୁଚାପଜନିତ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ଚାଷ କାମ ଆଗେଇବାର ସମ୍ଭାବନା ଅଛି । ହେଲେ ବାକି ଅଞ୍ଚଳରେ ତଳି ପଡ଼ିଥିବା ଧାନ ରୁଆ ପାଇଁ ପାଣିର ସମସ୍ୟା ହୋଇପାରେ । ଅଣଧାନ ଫସଲ ପାଇଁ ବିଶେଷ ସମସ୍ୟା ହୋଇନପାରେ । ରାଜ୍ୟରେ ଜୁନ୍‌ ପହିଲାରୁ ଜୁଲାଇ ୧୫ ତାରିଖ ଭିତରେ ବର୍ଷାର ଅଭାବ ଯୋଗୁ ଜମି ପଡ଼ିଆ ରହିପାରେ । ବର୍ଷା ଅଭାବରୁ ଲଗାଇଥିବା ଫସଲ ନଷ୍ଟ ହେଲେ ସହଳ ମରୁଡ଼ି ବୋଲି ଧରାଯାଏ । ଚଳିତବର୍ଷ କେତେକ ଅଞ୍ଚଳରେ ଏଭଳି ସ୍ଥିତି ଆସିପାରେ । ତେବେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହିତ ସମସ୍ତ ଉଠାଜଳସେଚନ ସଚଳ କରି ଫସଲ ବଞ୍ଚାଇବା ପାଇଁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି । 

ରାଜ୍ୟରେ ଏବେ ବି ୧୬% ବର୍ଷା କମ୍‌ ରହିଛି । ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୨୪୮.୯ ମିଲିମିଟର ବର୍ଷା ହୋଇଛି । ୧୪ ଜିଲ୍ଲାରେ ବର୍ଷା କମ୍‌ ରହିଛି । ଭଦ୍ରକରେ ୫୭%, ଗଜପତିରେ ୪୯%, ଯାଜପୁରରେ ୪୪%, କେନ୍ଦୁଝରରେ ୩୮% ବର୍ଷା ଅଭାବ ରହିଛି । ଏହାବାଦ୍‌ ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଞ୍ଜାମରେ ବର୍ଷା ନିଅଣ୍ଟିଆ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.