ୱେଲମାର୍କରେ ପରିଣତ ହୋଇଛି ଲଘୁଚାପ, ୧୨ଘଣ୍ଟାରେ ନେବ ଅବପାତ ରୂପ, ସେପଟେ ଭିଏତନାମରୁ ଓଡ଼ିଶା ମୁହାଁଇଛି ‘ଡିଆଁମୁ’

Published By : Prameya-News7 Bureau | September 24, 2021 IST

ଭୁବନେଶ୍ୱର ୨୪।୯: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବ। ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ସେପ୍ଟେମ୍ବର ୨୬ ତାରିଖ ରବିବାର ସନ୍ଧ୍ୟାସୁଧା ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟ କଳିଙ୍ଗ ପଟ୍ଟନମ ଦେଇ ଭୂ-ଭାଗକୁ ପ୍ରବେଶ କରିବ। 

ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ପବନର ମଧ୍ୟ ଆଶଙ୍କା କରାଯାଉଛି। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ସ୍ଥଳ ବିଶେଷରେ ଝଙ୍କାର ଘଣ୍ଟାପ୍ରତି ୭୦ କିଲୋମିଟର ବେଗ ଧରିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛନ୍ତି। ୨୫ ତାରିଖ ସନ୍ଧ୍ୟାରେ ଏହା ଘୂର୍ଣ୍ଣିଝଡର ରୂପ ନେବ। ୨୭ ତାରିଖ ସୋମବାର ସକାଳେ ଏହା ଅବପାତର ରୂପନେଇ କ୍ରମଶଃ ଦୁର୍ବଳ ହୋଇଯିବ।

{"id":517111,"sizeSlug":"full","linkDestination":"none"}

ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୫ ତାରିଖରୁ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ଆକଳନ କରିଛନ୍ତି ଆଇଏମଡି। ସେହିପରି  ସେପ୍ଟେମ୍ବର ୨୬ ତାରିଖ ଦିନ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ  ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟ ବର୍ଷା ଆକଳନ କରାଯାଉଥିବା ବେଳେ ସ୍ଥାନେସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି।

ସେପଟେ ଭିଏତନାମ ଉପକୂଳରେ ଗୁରୁବାର ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ଡିଆଁମୁ  ସେପ୍ଟେମ୍ବର ୨୬ ତାରିଖ ଦିନ ସାଇକ୍ଲୋନିକ ସର୍କୁଲେସନ ଭାବେ ଉତ୍ତର-ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପହଞ୍ଚିବ ବୋଲି ସ୍କାଏମେଟ୍ ୱେଦର ଆକଳନ କରିଛନ୍ତି। ଯାହା ଏକ ଲଘୁଚାପରେ ପରିଣତ ହେବା ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ପାଗକୁ ପ୍ରଭାବିତ କରିପାରେ। ଏହାର ପ୍ରଭାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଦିଲ୍ଲୀ ଓ ରାଜସ୍ଥାନରେ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗକୁ ପ୍ରଭାବିତ କରିବ ବୋଲି ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.