ଭୁବନେଶ୍ବର ୧୧|୧୨: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହେବ । ଘନୀଭୂତ ହେବା ପରେ ଅବପାତର ରୂପ ନେଇ ୧୪ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ରୂପ ନେବା ପରେ ତାହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଲଘୁଚାପ ଅବପାତରେ ପରିଣତ ହେବା ପରେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପରେ ତାର ପ୍ରଭାବ ପଡ଼ିବ। ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ମାଡ଼ ହେବାର ସମ୍ଭାବନା ରହିଛି। ଯଦି ଗତିପଥ ବଦଳାଇବ ତେବେ ଓଡ଼ିଶା ଆଡ଼କୁ ବି ଆସିପାରେ ବୋଲି ଅନୁମାନ କରାଯାଉଛି। ଲଘୁଚାପ ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ୧୩ ତାରିଖଠାରୁ ତାମିଲନାଡ଼ୁ, ପଣ୍ଡିଚେରି, ଆନ୍ଧ୍ରପ୍ରଦେଶ, ରୟାଲସିମା, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷା ହେବ। ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ସମୁଦ୍ର ଉପକୂଳ ୧୨ ତାରିଖଠାରୁ ଅଶାନ୍ତ ରହିବ। ତେଣୁ ଉକ୍ତ ରାଜ୍ୟ ଗୁଡ଼ିକର ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
{"id":62765}ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ। ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶା ଆଡ଼କୁ ଆସିପାରେ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ୧୫ ଓ ୧୬ ତାରିଖରେ ବର୍ଷା ହେବାର ଆଶଙ୍କା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବି ୧୭ ତାରିଖ ବେଳକୁ ବର୍ଷା ହୋଇପାରେ। ବାତ୍ୟା କିମ୍ବା ପବନର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ। କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି।