ବାତ୍ୟା ଆସୁଛି : ୨୯-୩୦ରୁ ଲଘୁଚାପ, କିନ୍ତୁ ବାଟ ଭାଙ୍ଗିଯିବ ପବନ

Published By : Prameya-News7 Bureau | April 23, 2020 IST

ଭୁବନେଶ୍ୱର ୨୩।୦୪: ଦାନା ବାନ୍ଧୁଛି ବାତ୍ୟା । ଗତବର୍ଷ ଭଳି ଏଥର ପୁଣି ମେ’ ମାସରେ ବଙ୍ଗୋପସାଗରରେ ଆସିପାରେ ବାତ୍ୟା । ଏଥିପାଇଁ ପାଣିପାଗ ପ୍ରସ୍ତୁତ ହେଉଛି । ହେଲେ ଏଥର ବାତ୍ୟା ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆଡ଼କୁ ନ ମୁହାଁଇ ମିଆଁମାର ଉପକୂଳ ଆଡ଼କୁ ମୁହାଁଇବାର ଅଧିକ ସମ୍ଭାବନା ରହିଛି । ବିଦେଶୀ ପାଣିପାଗ ମଡେଲକୁ ବିଶ୍ଳେଷଣ କରି ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ଗତବର୍ଷ ମେ’ ମାସ ୩ ତାରିଖରେ ଓଡ଼ିଶାରେ ପ୍ରଳୟ ଭିଆଇଥିଲା ଭୟାନକ ବାତ୍ୟା ଫୋନି । ମାତ୍ର ଏଥର ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଇବ ନାହିଁ ବୋଲି ପ୍ରାକ୍‌ ଆକଳନ କରିଛନ୍ତି ଡକ୍ଟର ପଶୁପାଳକ । ତାଙ୍କ କହିବାନୁଯାୟୀ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରାକ୍‌ ମୌସୁମୀ ସମୟରେ ହିଁ ବର୍ଷର ପ୍ରଥମ ଘୂର୍ଣ୍ଣିଝଡ଼ ସମ୍ଭାବନା ସୃଷ୍ଟି ହୋଇଛି । ଏପ୍ରିଲ ମାସର ଶେଷ ଭାଗକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଘୂର୍ଣ୍ଣିଝଡ଼ ରୂପ ନେଇପାରେ । ମାଡ୍ଡେନ ଜୁଲିଆନ୍‌ ଓସିଲାଇସନ (ଏମ୍‌ଜେଓ) ଅଧ୍ୟୟନରୁ ଏହାର ସୂଚନା ମିଳିଛି ।

ଆମେରିକାର ନ୍ୟାସନାଲ୍‌ ଓସିଓନିକ୍‌ ଆଟ୍‌ମୋସ୍ପିଅରିକ୍‌ ଆଡମିନିଷ୍ଟ୍ରେସନ ଓ ଅଷ୍ଟ୍ରେଲିଆର ୱେଦର ବ୍ୟୁରୋ କରିଥିବା ଅଧ୍ୟୟନରୁ ଡ.ପଶୁପାଳକ ବିଶ୍ଳେଷଣ କରିଛନ୍ତି ଯେ, ଏମ୍‌ଜେଓ ବର୍ତ୍ତମାନ ସକ୍ରିୟ ଭାବେ ଭାରତ ମହାସାଗରରେ ପଶ୍ଚିମ ଗୋଲାର୍ଦ୍ଧରୁ ପୂର୍ବ ଆଡ଼କୁ ମୁହାଁଉଛି । ଫଳରେ ପୂର୍ବ ଭାରତ ମହାସାଗରରେ ଅତ୍ୟଧିକ ମେଘ ସୃଷ୍ଟି ହେବା ସହ ବର୍ଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଏପ୍ରିଲ ୨୭ ପର୍ଯ୍ୟନ୍ତ ଏମ୍‌ଜେଓ ପ୍ରଭାବ ବଢ଼ିବ । ତା’ ପରବର୍ତ୍ତୀ ସପ୍ତାହରେ ଏହା ପଶ୍ଚିମ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରକୁ ନ ଯାଇ ଭାରତ ମହାସାଗରରେ ସୀମିତ ରହିବ । ବାୟୁର ବେଗ ସହ ପୃଥିବୀ ପୃଷ୍ଠରୁ ବିକରିତ ରଶ୍ମୀ (ଓଏଲ୍‌ଆର୍‌) ଓ ସାମୁଦ୍ରିକ ଜଳପତ୍ତନ ତାପମାତ୍ରାରୁ ଆକଳନ କରାଯାଇଛି ଯେ, ଏପ୍ରିଲ ୨୯ କିମ୍ବା ୩୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ସଂଗଠିତ ହୋଇ ଏକ ଲଘୁଚାପ ସୃଷ୍ଟି ହେବ । ଯାହାକି ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ (ବାତ୍ୟା) ରୂପ ନେବା ସମ୍ଭାବନା ଅଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ସେତେବେଳର ଜଳପତ୍ତନ ଓ ବାୟୁର ଦିଗ ଉପରେ ନିର୍ଭର କରେ । ଆକଳନ କରାଯାଉଛି, ସେହି ସମୟବେଳକୁ ବଙ୍ଗୋପସାଗରର ପୂର୍ବରେ ତାପମାତ୍ରା ଅଧିକ ରହିବ । ଫଳରେ ଏହା ଆଣ୍ଡାମାନ ସାଗରକୁ ଗତି କରି ମିଆଁମାର ଉପକୂଳ ଆଡ଼କୁ ମୁହାଁଇବ । ଏହା ବାଂଲାଦେଶ ଆଡ଼କୁ ଗତି କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପ।।ରେ ।

ତେବେ ସେହି ସମୟବେଳକୁ ଓଡ଼ିଶା ସମେତ ପୂର୍ବ ଉପକୂଳରେ ତାପମାତ୍ରା କମ୍‌ ରହିବା ସମ୍ଭାବନା ଅଛି । ଫଳରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଇବା ପାଇଁ ପାଣିପାଗ ଅନୁକୂଳ ହେବ ନାହିଁ । ତେଣୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ମୁହାଁଇବା ଆଶଙ୍କା ନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଆକଳନ କରି ହେବନି । ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ରୂପ ନେଇ ସ୍ପଷ୍ଟ ଚିତ୍ର ମିଳିପାରିବ । ଚଳିତବର୍ଷ ରାଜ୍ୟରେ ଖରାଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିଛି । ଏପ୍ରିଲ ଶେଷ ପର୍ଯ୍ୟନ୍ତ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ । ମଝିରେ ମଝିରେ କାଳବୈଶାଖୀ ହେବ । ତା’ ପରବର୍ତ୍ତୀ ସପ୍ତାହରେ ଲଘୁଚାପ ପ୍ରଭାବ ଯୋଗୁ ସାମୁଦ୍ରିକ ପବନ ଜାରି ରହିବ । ତେଣୁ ରାଜ୍ୟରେ ସ୍ୱାଭାବିକ ତାପମାତ୍ରା ବଢ଼ିବ ନାହିଁ । ଚଳିତବର୍ଷ ଗରମ କମ୍‌ ରହିଛି । ଆଗକୁ ମଧ୍ୟ ବିଶେଷ ବଢ଼ିବନି ଗ୍ରୀଷ୍ମ ପ୍ରକୋପ ।

ଏମ୍‌ଜେଓର ସକ୍ରିୟତାରୁ ଜଣାପଡ଼ୁଛି, ମୌସୁମୀ ବର୍ଷା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଫଳରେ ଚଳିତବର୍ଷ କେରଳରେ ମୌସୁମୀ ଆଗମନ ଠିକ୍‌ ସମୟରେ କିମ୍ବା ସାମାନ୍ୟ ଆଗୁଆ ହୋଇପାରେ । ତେବେ ରାଜ୍ୟରେ କେବେ ମୌସୁମୀ ଆରମ୍ଭ ହେବ, ତାହା ସମ୍ଭାବ୍ୟ ଲଘୁଚାପ ଉପରେ ନିର୍ଭର କରେ । ଚଳିତବର୍ଷ ଜାନୁଆରୀରୁ ଏଯାଏଁ ବିଶ୍ୱସ୍ତରରେ ଜଳପତ୍ତନ ତାପମାତ୍ରା ଦ୍ୱିତୀୟ ସର୍ବାଧିକ ରେକର୍ଡ ହୋଇଛି । ତେଣୁ ଚଳିତବର୍ଷ ଅଧିକ ଲଘୁଚାପ ସମ୍ଭାବନା ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.