ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ କରାଇଲା ପୋଲିସ, ଘରୁ ଲୁଚି ପଳାଇଥିଲେ ଗୋଆ

Published By : Prameya-News7 Bureau | November 30, 2021 IST

ଯାଜପୁର, ୩୦/୧୧: ଥାନାରେ ପ୍ରେମୀ ଯୁଗଳଙ୍କ ବାହାଘର କରାଇଲା ପୋଲିସ। ଥାନାରେ ପରିବାର ଲୋକେ, ବନ୍ଧୁବାନ୍ଧବ, ଭଦ୍ରଲୋକ ଓ ପୋଲିସ ଉପସ୍ଥିତିରେ ବର କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନାରେ। ଆଜି ପୋଲିସ ଥାନାରେ ଏକ ପ୍ରେମୀ ଯୁଗଳଙ୍କୁ ବାହାଘର କରାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସୂଚନା ଅନୁଯାୟୀ କାଳିଆପାଣି ଗାଁର ଆଦିବାସୀ ଝିଅ ଗୀତା ବେହେରା ତାଙ୍କ ମାମୁଁଘର ସ୍ଥାନୀୟ କାଦୁଅବନ୍ଦୀ ଗ୍ରାମକୁ ଯାଇଥିବା ସମୟରେ ସେହି ଗ୍ରାମର ଭବାନୀ ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଗତ ସେପ୍ଟେମ୍ବର ୪ ତାରିଖରେ ଏହି ପ୍ରେମୀ ଯୁଗଳ ଘରୁ ଲୁଚି ଗୋଆ ପଳାଇଥିଲେ। ସେଠାରେ ଉଭୟେ ୩ ମାସ ରହିଥିଲେ । ଏହା ଭିତରେ ଗୀତା ବାରମ୍ବାର କୋର୍ଟ ମ୍ୟାରେଜ୍ ପାଇଁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଏକାଧିକ ବାର ମତାନ୍ତର ଓ ମନାନ୍ତର ହୋଇଥିଲା। ଗତ ୨୦ ତାରିଖରେ ଗୀତାଙ୍କ ଭିଣୋଇ କାମାକ୍ଷାନଗର କୋର୍ଟରେ ଉଭୟଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଉଭୟ ସେଦିନ ସକାଳେ କାମାକ୍ଷାନଗର ବସ ଷ୍ଟାଣ୍ଡରେ ପହଞ୍ଚିଥିଲେ। ପାଖରେ ଥିବା ଏଟିଏମରୁ ଟଙ୍କା ଉଠାଇ ଆଣିବାକୁ କହି ଭବାନୀ ଫୋନ୍ ସୁଇଚ୍-ଅଫ୍ କରି ସେଠାରୁ ପଳାଇ ଯାଇଥିଲେ। ପରେ ନିରାଶ ହୋଇ ଗୀତା ନିଜ ଘରକୁ ଫେରି ଆସିଥିଲେ।

wp:html /wp:html

ଏହା ପରେ ସେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଭବାନୀଙ୍କୁ ଥାନାରେ ହାଜର କରିବାକୁ ତାଙ୍କ ବାପା ବାବୁଲି ନାୟକଙ୍କ ଉପରେ ଚାପ ପକାଯାଇଥିଲା। ତେବେ ଆଜି ପୁଅ ଭବାନୀଙ୍କୁ ସାଥିରେ ଧରି ତାଙ୍କ ବାପା ଥାନାରେ ପହଞ୍ଚିଥିଲେ। ପୋଲିସ ସହ ଆଲୋଚନା ପରେ ଗୀତାଙ୍କୁ ବୋହୂ କରି ନେବାରେ ତାଙ୍କର କିମ୍ବା ପୁଅର କୌଣସି ଆପତ୍ତି ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ। ଏହାପରେ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ତୁରନ୍ତ ବିବାହ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଏସ୍ଆଇ ତ୍ରିଲୋଚନ ସାହୁଙ୍କ ତତ୍ତ୍ଵାବଧାନରେ ଥାନା ପରିସରରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ବର କନ୍ୟାଙ୍କ ବନ୍ଧୁବାନ୍ଧବ ଓ ସ୍ଥାନୀୟ ଭଦ୍ରଲୋକ ଉପସ୍ଥିତ ଥିଲେ। ବିବାହକୁ ଗ୍ରହଣ କରିବା ସହ ଦୁଇ ସମୁଦି ବାବୁଲି ନାୟକ ଓ ରମାକାନ୍ତ ବେହେରା ପରସ୍ପରକୁ ବନ୍ଧୁ ସ୍ବୀକାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.