କାଜୁ ବଗିଚାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକାର ବାହାଘର ଠିକ୍‌ ହୋଇଯିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | May 29, 2021 IST

ନିଆଳି, ୨୯/୦୫: କାଜୁ ବଗିଚାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ନିଆଳି ଥାନା ଅଧିନ ନୂଆଗାଁ ଅର୍କତିର୍ଥ ମଠ କାଜୁ ବଣରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବକୁ ପ୍ରଥମେ ଛେଳି ଚରାଳି ଦେଖିଥିଲେ । ପରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହୋଇଥିଲା। ପରେ ଗ୍ରାମବାସୀ ପୋଲିସକୁ ଏନେଇ ଖବର ଦେଇଥିଲେ। ନିଆଳି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରେମୀ ଯୁଗଳ ନିଆଳି ଥାନା ନୂଆପାଟଣା ଗ୍ରାମର ହୋଇଥିବା ଜଣାପଡ଼ିଛି । ଉଭୟ ପରସ୍ପରଙ୍କୁ ଦୀର୍ଘଦିନ ଧରି ଭଲପାଇ ଆସୁଥିଲେ । ଝିଅ ଘର ପରିବାର ଲୋକ ଅନ୍ୟତ୍ର ବାହାଘର ଠିକ୍ କରିଦେଇଥିବା କଥା ଶୁଣି ଝିଅଟି ଭଲ ପାଉଥିବା ପୁଅ ସହିତ ଗତ କାଲି ବିଳମ୍ବିତ ରାତିରେ ଫେରାର ହୋଇଯାଇଥିଲା ।

ପରିବାର ଲୋକ ରାତି ସାରା ଝିଅକୁ ବନ୍ଧୁ ବନ୍ଧବରେ ଖୋଜି ପାଇନଥିଲେ । ମଧ୍ୟାହ୍ନରେ ଘଟଣାସ୍ଥଳରେ ପରିବାର ଲୋକେ କାଜୁ ବଣରେ ଝୁଲୁଥିବା ପ୍ରେମୀ ଯୁଗଳଙ୍କ ଶବ ଦେଖି ଝିଅକୁ ଚିହ୍ନିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ତେବେ ଏହି ଘଟଣାଟି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.