ଏକ ତରଫା ପ୍ରେମ: ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ କଲା ପ୍ରେମିକ, ବଡ ଭଉଣୀର ଦିଅର ସହ ୧୨ ତାରିଖରେ ନାବାଳିକାଙ୍କ ହୋଇଥାନ୍ତା ବାହାଘର

Published By : Prameya-News7 Bureau | December 03, 2018 IST

ସାହାରଣପୁର ୩/୧୨: ଉତ୍ତରପ୍ରଦେଶର ସାହାରଣପୁରରେ ଜଣେ ଉନ୍ମାଦ ଯୁବକର ଆଖିବୁଜା ଗୁଳିଚାଳନାରେ ଜଣେ ନବମ ଶ୍ରେଣୀର ନାବାଳିକା ଗୁରୁତର ଆହତ ହୋଇଛନ୍ତି। ଏହି ଯୁବକଜଣକ ସ୍କୁଲ୍ ଯାଉଥିବା ଛାତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇ ଗୁଳି ଚଳାଇଥିଲେ। ଘଟଣାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ହସ୍ପିଟାଲ୍ ପହଞ୍ଚାଇଥିଲେ। ଛାତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କୁ  ଅତିଶୀଘ୍ର ଗିରଫ କରିବା ପାଇଁ ଦାବି କରାଯାଉଛି। ଏକ ତରଫା ପ୍ରେମରୁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି । କୁତୁବଶେର ଥାନା ଅନ୍ତର୍ଗତ ନଗଲା ଖୋରୀ ଅଞ୍ଚଳରେ ବାସ କରୁଥିବା କମଲଙ୍କ ଝିଅ ଜୁଲି ଉନାଲୀ ନବମ ଶ୍ରେଣୀରେ ପଢ଼ୁଥିଲେ। ସୋମବାର ସେ ସ୍କୁଲ୍ ଯିବା ପାଇଁ ବାହାରିଥିଲେ। ସେ ସ୍କୁଲକୁ ଯିବାବେଳେ ଦୀପୁ ନାମକ ଯୁବକ ତାଙ୍କୁ ରାସ୍ତା ମଝିରେ ଅଟକାଇଥିଲେ। ଏହା ପରେ ସେ ଆଖିବୁଜା ଗୁଳିଚାଳନା କରିଥିଲେ। ଯୁବକ ଜଣକ ଛାତ୍ରୀଙ୍କ ଗୋଡ଼କୁ ୪ରାଉଣ୍ଡ ଗୁଳି କରିଥିଲେ। ଘଟଣାପରେ ଆଖ ପାଖ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବାରୁ ପୋଲିସ୍ ଜିଲ୍ଲା ହସ୍ପିଟାଲ୍ ପହଞ୍ଚି ଛାତ୍ରୀଙ୍କ ବୟାନ୍ ନେଇଥିଲେ। ଛାତ୍ରୀଙ୍କ ବଡ଼ଭଉଣୀଙ୍କ କହିବା ଅନୁସାରେ ଏହି ଯୁବକ ଜଣକ ତାଙ୍କ ସାନ ଭଉଣୀଙ୍କୁ ୩ଦିନ ପୂର୍ବରୁ ରାସ୍ତା ମଝିରେ ଅଟକାଇଥିଲେ। ଗୁଳିମାଡରେ ଆହତ ଛାତ୍ରୀଙ୍କ ବିବାହ ଡିସେମ୍ବର ୧୨ତାରିଖରେ ଥିଲା। ବଡ଼ ଭଉଣୀଙ୍କ ଦିଅର ସହିତ ତାଙ୍କ ବିବାହ ସ୍ଥିର ହୋଇଥିଲା। ତେଣୁ ପୋଲିସ ଏହାକୁ ଏକତରଫା ପ୍ରେମ ମାନି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.