ପ୍ରେମରୁ ଲିଭ୍ ଇନ୍, ମନ ଛାଡିଗଲା ପରେ ଅପହୃତ ହେବାର ନାଟକ… କ୍ଲାଇମାକ୍ସରେ ପ୍ରେମିକ ହିଁ ଥିଲା ଭିଲିଆନ୍

Published By : Prameya-News7 Bureau | July 16, 2021 IST

ବୁର୍ଲା ୧୬।୭: ପ୍ରଥମେ ପ୍ରେମ ଓ ପରେ ପ୍ରେମିକାକୁ ନେଇ ଫେରାର ହୋଇଗଲା ପ୍ରେମିକ । କିଛିଦିନ ସ୍ବାମୀ ସ୍ତ୍ରୀ ଭଳି ରହିବା ପରେ ପ୍ରେମିକାକୁ ଧୋକା ଦେଲା ପ୍ରେମିକ । ଆଉ ପ୍ରେମିକାଠାରୁ ନିଜକୁ ଦୂରେଇ ରଖିବା ପାଇଁ ରଚିଲା ଅପହରଣ ନାଟକ । ହେଲେ ଧୋକାବାଜ୍‌ ପ୍ରେମିକର ଅସଲ ରୂପର ପର୍ଦ୍ଦାଫାଶ କରିବାରେ ବୁର୍ଲା ପୋଲିସ ସଫଳ ହୋଇଛି । ଆଉ ଏହି ଧୋକାବାଜ୍‌ ପ୍ରେମିକ ଏବଂ ତାର ଭାଇକୁ ଗିରଫ କରିଛି । ଗିରଫ ଯୁବକ ଦୁଇ ଜଣ ହେଲେ ବୁର୍ଲା ଥାନା ଗୋଶାଳାର ପିଙ୍କୁ ସିଂ ଏବଂ ତାଙ୍କ ଭାଇ ବିକାଶ ସିଂ ବୋଲି ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ ପିଙ୍କୁ ଗତ ମେ’ ମାସ ୩୦ ତାରିଖ ଦିନ ତାଙ୍କ ଗ୍ରାମର ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ଦୀର୍ଘ ବର୍ଷ ହେବ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ । ଏହାପରେ ସଂପୃକ୍ତ ଯୁବତୀ ନିଖୋଜ ହେବା ନେଇ ତାଙ୍କ ପରିବାର ଲୋକେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ଉଭୟ ପ୍ରେମିକ-ପ୍ରେମିକା ଭଦ୍ରକ ଅଞ୍ଚଳକୁ ଚାଲିଯାଇ ସେଠାରେ ବିବାହ କରିଥିଲେ । ଏହାପରେ ବୁର୍ଲା ସହରରେ ଏକ ଘର ଭଡା ନେଇ ଆତ୍ମଗୋପନ କରିଥିଲେ । ପୁଣି ଉଭୟେ ସାବାଳକ ହୋଇଥିବାରୁ ତାଙ୍କୁ ପୋଲିସକୁ ନେଇ ଡର ନ ଥିଲା । ହେଲେ ଉଭୟେ ଅନ୍ୟ ଜାତିର ହୋଇଥିବାରୁ ପୁଅ ଘର ପରିବାରକୁ ଡର ଥିଲା କାରଣ ସେମାନେ ଏହାକୁ ସ୍ବୀକାର କରୁନଥିଲେ ।

ଏହାପରେ ଗତ ୧୨ ତାରିଖ ଦିନ ପିଙ୍କୁଙ୍କ ଯୋଜନା ଅନୁଯାୟୀ ଥାନାକୁ ଯାଇ ଆତ୍ମସମର୍ପଣ କରିବା ପାଇଁ ଯୁବତୀଙ୍କୁ ସାଙ୍ଗରେ ନେଇ ଥାନାକୁ ବାହାରିଥିଲା । ହେଲେ ହଠାତ ଥାନା ଯିବା ବାଟରେ ପିଙ୍କୁକୁ କେହି ଅପହରଣ କରି ନେଇଥିଲା । ଏହାପରେ ଯୁବତୀ ଜଣକ ବୁର୍ଲା ଥାନାରେ ସ୍ବାମୀଙ୍କୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ । ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଆଉ ଗତକାଲି ପୋଲିସ ପିଙ୍କୁ ସୁନ୍ଦରଗଡରେ ତାଙ୍କ ଭଉଣୀ ଘରେ ଆତ୍ମଗୋପନ କରିଥିବା ଜାଣିଥିଲା । ଏହାପରେ ସେଠାରୁ ବୁର୍ଲା ପୋଲିସ ପିଙ୍କୁ ଏବଂ ତା ଭାଇ ବିକାଶଙ୍କୁ ଉଠାଇ ଆଣିଥିଲା । ଥାନାରେ ପଚରାଉଚରା ପରେ ପିଙ୍କୁ ଅପହରଣ ନାଟକ ନିଜେ ରଚିଥିବା ବେଳେ ତାଙ୍କ ଭାଇ ଏଥିରେ ସାହାଯ୍ୟ କରିଥିବା ଉଭୟେ ସ୍ବୀକାର କରିଥିଲେ । ଘର ଲୋକେ ଚାହୁଁନଥିବାରୁ ଏଭଳି ଅପହରଣ ନାଟକ କରି ଯୁବତୀଙ୍କଠାରୁ ଦୂରେଇ ଯିବାକୁ ପିଙ୍କୁ ଯୋଜନା କରିଥିବା ନେଇ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.