ଜଣେ ପ୍ରେମିକକୁ ଦୁଇ ପ୍ରେମିକା: ଯୁବକଙ୍କୁ ବାହା ହେବାକୁ ଦୁଇ ଯୁବତୀଙ୍କ ଇଚ୍ଛା, ଘର ଲୋକଙ୍କ ଅକଲ ଗୁଡୁମ, ଟସ୍ ପଡି ହେଲା ନିଷ୍ପତ୍ତି

Published By : Prameya-News7 Bureau | September 07, 2021 IST

ବେଙ୍ଗାଲୁରୁ ୦୭।୦୯: ଭଲ ପାଇବା ଖରାପ ନୁହେଁ ଭଲ କଥା। ଯଦି ପ୍ରେମ ତ୍ରିକୋଣୀୟ ହୋଇଯିବ, ତେବେ ମାମଲା ବଡ ଗମ୍ଭୀର ହୋଇଯାଏ। କାରଣ ଏମିତି ସଂପର୍କରେ ସମସ୍ତଙ୍କୁ ଖୁସିରେ ରଖିବା ମୁସ୍କିଲ ହୋଇଯାଏ। ତ୍ରିକୋଣୀୟ ପ୍ରେମରେ ରକ୍ତପାତ ମଧ୍ୟ ଘଟିଥାଏ। ହେଲେ ତ୍ରିକୋଣୀୟ ପ୍ରେମକୁ ନେଇ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଯେଉଁଠି ପଞ୍ଚାୟତ ଟସ୍ ପକାଇ ମାମଲାର ସମାଧାନ କରିଛନ୍ତି। ଏମିତି ଅଦ୍ଭୁତ ଧରଣର ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାରେ ଘଟିଛି।

ଦୁଇ ଝିଅ ସହ ପ୍ରେମ

ନ୍ୟୁଜ୍ ୧୮ର ରିପୋର୍ଟ ଅନୁଯାୟୀ, ସକଲେଶପୁର ବାସିନ୍ଦା ୨୭ ବର୍ଷୀୟ ଯୁବକଙ୍କ ବର୍ଷେ ତଳେ ପଡୋଶୀ ଗାଁର ୨୦ ବର୍ଷୀୟ ଯୁବତୀଙ୍କ ସହ ଭଲ ପାଇବା ଆରମ୍ଭ ହୋଇଥିଲା। ଉଭୟ ମିଳାମିଶା ଆରମ୍ଭ କରି ଦେଇଥିଲେ। ସେମାନଙ୍କର ପ୍ରେମର ଗାଡି ଆଗକୁ ଆଗକୁ ଗଡି ଚାଲିଲା। ହେଲେ ୬ ମାସ ପରେ କାହାଣୀରେ ନୂତନ ମୋଡ ଆସିଲା। ଯୁବକଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଗଲା। ଆଉ ଏଥର ଯୁବତୀ ଅନ୍ୟ ଗାଁର ଥିଲେ। ତା ସହିତ ମଧ୍ୟ ଯୁବକଙ୍କ ମିଳାମିଶା ଚାଲିଲା। ଉଭୟଙ୍କ ମଧ୍ୟରେ ଭଲ ପାଇବା ନିବିଡ ହୋଇଗଲା। ହେଲେ ଏହି ତ୍ରିକୋଣୀୟ ପ୍ରେମରେ ଦୁଇ ଯୁବତୀ ଅଜଣା ଥିଲେ। ସେମାନଙ୍କୁ ଜଣା ନଥିଲା ଯୁବକଙ୍କ ରସିକିଆ ପ୍ରେମ ବିଷୟରେ।

ପ୍ରେମିକର ଘରେ ପହଞ୍ଚିଗଲେ ଯୁବତୀ

ହେଲେ କାହାଣୀ ସେହି ସମୟରେ ଫିଲ୍ମର ରୂପ ନେଲା, ଯେତେବେଳେ ସଂପର୍କୀୟମାନେ ଯୁବକଙ୍କୁ ପ୍ରେମିକା ସହ ଦେଖି ନେଲେ। ଘରକୁ ଯାଇ ପୁଅର ଲଭ ଷ୍ଟୋରୀ ପରିବାର ଲୋକଙ୍କୁ ସବୁ ବଖାଣିଲେ। ଏହା ପରେ ପରିବାର ଲୋକ ଯୁବକଙ୍କୁ ଝିଅ ବିଷୟରେ ପଚାରିଲେ। ଯୁବକ କହିଲେ ସେ ଝିଅକୁ ଭଲ ପାଆନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି। ମାତ୍ର ଘର ଲୋକେ ଯୁବକଙ୍କ କଥା ଶୁଣିବାକୁ ନାରାଜ ଥିଲେ ଏବଂ ଶୀଘ୍ର ଯୁବକଙ୍କ ବାହାଘର ଅନ୍ୟତ୍ର ସ୍ଥିର କରି ଦେଲେ।

{"id":507923,"sizeSlug":"full","linkDestination":"none"}

ପୁଅର ମା-ବାପାଙ୍କ ଅକଲ ଗୁଡୁମ

ପୁଣି କାହାଣୀରେ ଆଉ ଏକ ମୋଡ ଆସିଲା। ଯେବେ ଦୁଇ ପ୍ରେମିକାଙ୍କ ମଧ୍ୟରୁ ଜଣେ ନିଜ ଘର ଲୋକଙ୍କୁ ନିଜ ପ୍ରେମ ବିଷୟରେ ଜଣାଇଲେ। ତୁରନ୍ତ ଝିଅର ଅଭିଭାବକ ପୁଅ ଘରେ ପହଞ୍ଚି  ପୁଅ-ଝିଅଙ୍କ ସଂପର୍କ ବିଷୟରେ ଅବଗତ କରାଇଲେ। ଏହା ମଧ୍ୟରେ ଦ୍ଵିତୀୟ ପ୍ରେମିକା ମଧ୍ୟ ନିଜ ପରିବାର ସହ ଯୁବକଙ୍କ ଘରେ ପହଞ୍ଚିଗଲେ। ଏହା ଦେଖି ଯୁବକଙ୍କ ମା-ବାପାଙ୍କ ଅକଲ ଗୁଡୁମ। ସେମାନେ ବୁଝି ପାରିଲେ ନାହିଁ, ଏମିତି ସ୍ଥିତିରେ କଣ କରିବେ। ସେମାନେ ନିରୂପାୟ ହୋଇଗଲେ। ସେତେବେଳକୁ ଦାଣ୍ଡରେ ପଡି ହାଟରେ ଗଡୁଥିଲା ଏହି ତ୍ରିକୋଣୀୟ ପ୍ରେମ କାହାଣୀ. ପୂରା ଗାଁରେ ଚର୍ଚ୍ଚାରେ ବିଷୟ ପାଲଟି ସାରିଥିଲା।

ପଡିଲା ଟସ୍

ଯେତେବେଳେ ମାମଲା ଜଟିଳ ହୋଇଗଲା, ଏହାର ସମାଧାନ ପାଇଁ ପଞ୍ଚାୟତର ସାହାରା ନିଆଗଲା। ପ୍ରଥମ ମିଟିଂରେ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା। ହେଲେ ଦ୍ଵିତୀୟ ଥର ମିଟିଂରେ ପଞ୍ଚାୟତ ସମସ୍ତ ସମ୍ବନ୍ଧିତ ପକ୍ଷଙ୍କ ସର୍ବ ସହମତିରେ ନିର୍ଣ୍ଣୟ ନିଆଗଲା ଯେ, ଟସ୍ ପକାଯାଇ ସ୍ଥିର କରାଯିବ ଯେ, କେଉଁ ଯୁବତୀ ଯୁବକଙ୍କୁ ବିବାହ କରିବେ। ସବୁଠୁ ଚକିତକର କଥା ସେ ପର୍ଯ୍ୟନ୍ତ ପ୍ରେମିକ ପ୍ରବର କାହାକୁ ବିବାହ କରିବେ ନିଜ ଇଚ୍ଛା ମଧ୍ୟ କହିନଥିଲେ। ନିରବଦ୍ରଷ୍ଟା ସାଜି ସବୁ ଦେଖୁଥିଲେ।

କେଉଁ ପ୍ରେମିକାଙ୍କ ଭାଗ୍ୟରେ ମିଳିଲା ଯୁବକ

ଦୁଇ ଥର ପଞ୍ଚାୟତ ବସିଲା, ପ୍ରଥମ ବୈଠକରେ ଯୁବକଙ୍କୁ ଅନେକ ଥର ପ୍ରଶ୍ନ ପଚରା ଯାଇଥିଲା ଯେ, ସେ କାହାକୁ ବିବାହ କରିବାକୁ ଚାହୁଁଛନ୍ତି। ଯୁବକ ପଦୁଟିଏ ମଧ୍ୟ ମୁହଁ ଖୋଲିନଥିଲେ। ଏଥିରେ ମ୍ରିୟମାଣ ହୋଇ ପ୍ରଥମ ପ୍ରେମିକା ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏମିତି ସ୍ଥିତିରେ ପଞ୍ଚାୟତ ମିଟିଂ ଭାଙ୍ଗି ଯାଇଥିଲା। ସୌଭାଗ୍ୟବଶତଃ ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିଲା। ଦ୍ଵିତୀୟ ଥର ପଞ୍ଚାୟତ ଟସ୍ ପକାଇ ଯୁବକ କାହାକୁ ବିବାହ କରିବେ ତାର ନିର୍ଣ୍ଣୟ ନିଆଯାଇଥିଲା। ସୌଭାଗ୍ୟର କଥା ଟସ୍ ସେହି ଯୁବତୀଙ୍କ ପକ୍ଷରେ ପଡିଥିଲା ଯିଏ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଜଣା ପଡିଲା ଯେ, ଯୁବକ ମଧ୍ୟ ନିଜର ପ୍ରଥମ ପ୍ରେମିକାଙ୍କୁ ବିବାହ କରିବାକୁ  ଚାହୁଁଥିଲେ ଯିଏ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଉ ଦ୍ଵିତୀୟ ପ୍ରେମିକା ଏହି ନିଷ୍ପତ୍ତିକୁ ସ୍ଵୀକାର କରିନେଲ। କିନ୍ତୁ ଭାଇ ଇଏ ପ୍ରେମ ବ୍ୟାପାର...ହୃଦୟ ତ କଷ୍ଟ ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.