ତ୍ରିକୋଣୀୟ ପ୍ରେମ ପାଇଁ ଚାଲିଗଲା ୧୯ ବର୍ଷ ବୟସ୍କ ଯୁବତୀଙ୍କ ଜୀବନ, ପ୍ରେମିକଙ୍କ ସହ ବାନ୍ଧବୀକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | January 02, 2021 IST

ମୁମ୍ବାଇ ୨।୧: ମୁମ୍ବାଇରେ ତ୍ରିକୋଣୀୟ ପ୍ରେମ ପାଇଁ ଚାଲିଗଲା ୧୯ ବର୍ଷ ବୟସ୍କ ଯୁବତୀଙ୍କ ଜୀବନ । ପ୍ରେମିକଙ୍କ ସହ ନୂଆବର୍ଷ ପାଳନ କରିବାକୁ ଇଚ୍ଛା କରି ପ୍ରେମିକଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଦେଖି ରାଗି ପାଚି ଲାଲ୍ ହୋଇଯାଇଥିଲେ । ସେଠାରେ ତିନି ଜଣଙ୍କ ମଧ୍ୟ ଝଗଡା ହୋଇଥିଲା । ପରେ ସଂପୃକ୍ତ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ପରେ ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି ।

ମୁମ୍ବାଇର ଖାର ଅଞ୍ଚଳରେ ୩୧ ଡିସେମ୍ବର ରାତିରେ ୧୯ ବର୍ଷ ବୟସ୍କ ଯୁବତୀଙ୍କ ମୃତଦେହ ସନ୍ଦିଗ୍ଧ ପରିସ୍ଥିତିରେ ମିଳିଥିଲା । ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଉଭୟଙ୍କୁ ପଚରାଉଚରା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଜାହ୍ନବୀ କୁକରେଜା ଏବଂ ତାଙ୍କ କିଛି ସାଙ୍ଗ ନୂଆ ବର୍ଷ ପାଳନ ପାଇଁ ଖାରର ଭଗବତୀ ହାଇଟସର ଛାତ ଉପରେ ପାର୍ଟି ଆୟୋଜନ କରିଥିଲେ । ସେହି ରାତିରେ ପାର୍ଟି ସରିବା ପରେ ଜାହ୍ନବୀଙ୍କର ପ୍ରେମିକ ଶ୍ରୀ ଜୋଗଧନକର ଏବଂ ତାଙ୍କ ସହ ଆସିଥିବା ଯୁବତୀଙ୍କ ସହ ଝଗଡା ହୋଇଥିଲା । ରାଗ ତମତମ ହୋଇ ଜାହ୍ନବୀ ଛାତରୁ ତଳକୁ ଓହ୍ଲାଇ ଆସିଥିଲେ ।

ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ବଢି ଯାଇଥିଲା । ତାଙ୍କ ପ୍ରେମିକ ତାଙ୍କ ଛୁଟି ଧରି ସିଡିରେ ଘୋଷାଡି ଘୋଷାଡି ଆଣିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସକୁ ସିଡିରେ ରକ୍ତ ଚିହ୍ନ ମିଳିଥିଲା । ସିସିଟିଭିରେ ମଧ୍ୟ ପୂରା ଘଟଣା ରେକର୍ଡ ହୋଇଥିଲା ।  ପୋଲିସ ତାଙ୍କ ପ୍ରେମିକ ଏବଂ ସାଥୀରେ ଆସିଥିବା ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.