ଫେସ୍‌ବୁକ୍ ପ୍ରେମ ତାପରେ ବିଦେଶ ଯିବାର ଯୋଜନା ହେଲା ଭଣ୍ଡୁର : ପୋଷାକ ବଦଳ ବେଳେ ଧରିଲା ‘ମେରି ସହେଲୀ’ ଟିମ୍

Published By : Prameya-News7 Bureau | November 02, 2020 IST

ପୁରୀ ୦୨।୧୧ : ଫେସ୍‌ବୁକ୍‌ରେ ଆରମ୍ଭ ହେଲା ପ୍ରେମ । ପ୍ରେମିକ ଥିଲେ ଇଞ୍ଜିନିୟର୍‌ । ପ୍ରେମ ୪ ମାସର । ପ୍ରେମିକାକୁ ନେଇ ଚମ୍ପଟ ମାରିବାକୁ ପ୍ରେମିକ କଲା ଯୋଜନା । ଫେରାର୍‌ ବି ହେଲା , କିନ୍ତୁ ରେଳ ବଗିରେ ଫସିଗଲେ । ପୋଷାକ ବଦଳାଇ ହଟହଟା ହେଲେ ପ୍ରେମୀଯୁଗଳ । ପୁରୀ ଆର୍‌ପିଏଫ୍‌ର ‘ମେରି ସହେଲୀ’ ଟିମ୍‌ ଉଭୟଙ୍କୁ କାବୁ କରିବା ପରେ ଜେଲ୍‌ ଗଲା ଇଞ୍ଜିନିୟର୍‌ ପ୍ରେମିକ । ପ୍ରେମିକ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ର ସବୀର୍‌ ଅଲ୍ଲୀ (୩୨) ଓ ଯୁବତୀ ଜଣକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ହୋଇଥିବା ବେଳେ ବୟସ ୩୦ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସବୀର୍‌ ବିଦେଶରେ ରହି ଚାକିରି କରୁଥିଲା । ୪ ମାସ ପୂର୍ବେ ଯୁବତୀଙ୍କ ଫେସ୍‌ବୁକ୍‌ ଆଇଡିକୁ ଆସିଥିଲା ଇଞ୍ଜିନିୟର୍‌ ସବୀର୍‌ର ଫ୍ରେଣ୍ଡ ରିକ୍ୟୁଏଷ୍ଟ । ଯୁବତୀ ଜଣେ ଶିକ୍ଷିତ ଓ ଏବେ ସେ ପାଠପଢା ସାରି ଘରେ ରହୁଥିଲେ । ସବୀର୍‌ ସହ ଫେସ୍‌ବୁକ୍‌ରେ ବନ୍ଧୁତା ପରେ ଅଧିକାଂଶ ସମୟ ତା’ ସହ ସୋସିଆଲ୍‌ ମିଡିଆରେ ସମୟ ଦେଉଥିଲେ ଯୁବତୀ । ଏହାପରେ ବନ୍ଧୁତା ନେଇଥିଲା ପ୍ରେମର ରୂପ । କିଛି ଦିନ ଧରି ଫୋନ୍‌ରେ ପ୍ରେମ କରିବା ପରେ ବିବାହ ପ୍ରତିଶ୍ରୁତି ଦେଲା ସବୀର୍‌ । ତେଣୁ ଉଭୟ ଏକାଠି ହେବାକୁ ଯୋଜନା କରିଥିଲେ । ଗତ ୩୦ ତାରିଖରେ ସବୀର୍‌ ଫ୍ଲାଇଟ୍‌ ଯୋଗେ ଓଡିଶା ଆସି ସିଧା ଯାଇଥିଲା ବ୍ରହ୍ମପୁର । ସେଠାରେ ଏକ ହୋଟେଲ୍‌ରେ ରହି ଯୁବତୀଙ୍କୁ ଯୋଗାଯୋଗ କରିଥିଲା । ଯୋଜନା ଅନୁସାରେ ଯୁବତୀ ସେହିଦିନ ଅପରାହ୍ନ ୨ଟାରେ ଘରୁ ବାହାରି ଥିଲେ , ମାର୍କେଟିଂ କରିବାକୁ କହି ଘରୁ ଆସିଥିବା ବେଳେ ଆଉ ଫେରି ନଥିଲେ । ସବୀର୍‌ ପାଖରେ ରହିଥିଲେ ଯୁବତୀ ।

ସେପଟେ ଘର ଲୋକେ ଖୋଜାଖୋଜି କରି ନପାଇବାରୁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ଯୁବତୀଙ୍କ ଫଟୋ ବିଭିନ୍ନ ଥାନା ସହ ପୁରୀ ଆର୍‌ପିଏଫ୍‌ ଟିମ୍‌ ପାଖରେ ପହଞ୍ଚିଥିଲା । ପରେ ତାଙ୍କୁ ଖୋଜିଥିଲା ପୁଲିସ । ୩୧ ତାରିଖ ରାତି ୮ଟା ୧୦ରେ ପୁରୀ ଷ୍ଟେସନ୍‌ ଛାଡିଥିଲା ଟ୍ରେନ୍‌ । ପୁରୀ-ହାୱଡା ଏକ୍ସପ୍ରେସ୍‌ ପୁରୀରୁ ବାହାରିବାବେଳେ ଏଥିରେ ଥିଲେ ‘ମେରି ସହେଲୀ’ ଟିମ୍‌ । ଆର୍‌ପିଏଫ୍‌ର କିଛି ତାଲିମ୍‌ ପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ଏହି ଟିମ୍‌ ଯୁବତୀ ଓ ମହିଳାଙ୍କ ସୁରକ୍ଷା ଉପରେ କାମ କରୁଥିବାରୁ ବିଭିନ୍ନ ବଗି ବୁଲି ନଜର ରଖୁଥିଲେ । ରାତି ୧୦ଟାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲା ଟ୍ରେନ୍‌ । ସେହି ସମୟରେ ଯୁବତୀଙ୍କୁ ନେଇ ଟ୍ରେନ୍‌ରେ ଚଢିଥିଲା ସବୀର୍‌ । ଚିହ୍ନା ପଡିଯିବା ଭୟରେ ସବୀର୍‌ ଆଣିଥିବା କଳା ପୋଷାକକୁ ଯୁବତୀଙ୍କୁ ଦେଇଥିଲା ପିନ୍ଧିବା ପାଇଁ । ରେଳବଗିର ଶୌଚାଳୟ ନିକଟରେ ପୋଷାକ ବଦଳାଉଥିବା ବେଳେ ନିକଟରେ ଛିଡା ହୋଇଥିଲା ସବୀର୍‌ । ଏହି ସମୟରେ ମେରି ସହେଲି ଟିମ୍‌ ସେଠାରେ ପହଞ୍ଚିଥିଲା । ପୋଷାକ ବଦଳାଉଥିବା ବେଳେ ସବୀର୍‌ ତାଙ୍କୁ ଚାହିଁ ରହିଥିବାରୁ ସନ୍ଦେହ କରି ସେମାନଙ୍କ ପାଖକୁ ଯାଇଥିଲା ଟିମ୍‌ । ହେଲେ ମୁହଁରେ ବୁର୍ଖା ପିନ୍ଧି ନିଜକୁ ଲୁଚାଇଦେଲେ ଯୁବତୀ ।

ଟିମ୍‌ ପଚରାଉଚରା କରିବା ବେଳେ ସବୀର୍‌ କହିଥିଲା ସେ ମୋ ପତ୍ନୀ । କିନ୍ତୁ ଯୁବତୀ କହିଥିଲେ ସେ ମୋ ଭାଇ । ଏହାପରେ ଟିମ୍‌ ଉଭୟଙ୍କୁ ଧରି ଅଧିକ ପଚରାଉଚରା କରିବାବେଳେ ସେମାନେ ଏସି କୋଚ୍‌ ରିଜର୍ଭ କରିଥିବା ଜଣାପଡିଥିଲା । ପୋଷାକ ବଦଳାଇବା ପାଇଁ ଏହି ବଗିରେ ଚଢ଼ିଥିବା ଜଣାପଡିବା ପରେ ସନ୍ଦେହ ଘନୀଭୂତ ହୋଇଥିଲା । ଏନେଇ ଟିମ୍‌ ପୁରୀ ଆର୍‌ପିଏଫ୍‌ ଆଇଆଇସି ଅନୀଲ କୁମାର ସିଂହଙ୍କ ସହ ଯୋଗାଯୋଗ କରିଥିଲା । ଶ୍ରୀ ସିଂହ ନିଖୋଜ ଯୁବତୀଙ୍କ ଫଟୋ ଟିମ୍‌କୁ ପଠାଇବା ପରେ ତାହା ଯୁବତୀଙ୍କ ଚେହେରା ସହ ମିଶିଥିଲା । ପରେ ଉଭୟଙ୍କୁ ଯାଜପୁର ଷ୍ଟେସନ୍‌ରେ ଓହ୍ଲାଇ ଯାଞ୍ଚ କରିବାରୁ ରହସ୍ୟ ଉପରୁ ପରଦା ହଟିଥିଲା । ଏହାପରେ ଯୁବତୀଙ୍କ ପରିବାର ଓ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଓ ପରିବାର ଲୋକେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲେ । ଏନେଇ ଯାଞ୍ଚ ପରେ ବୈଦ୍ୟନାଥପୁର ଥାନା ପୁଲିସ ମହିଳା ଚାଲାଣ ମାମଲା ରୁଜୁ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.