ପ୍ରେମ ପାଇଁ ବନ୍ଧୁକ ଛାଡ଼ିଲା ନକ୍ସଲ୍‌ କମାଣ୍ଡର, ଦିନେ ମୁଣ୍ଡ ଉପରେ ଲାଗିଥିଲା ୮ ଲକ୍ଷ ଟଙ୍କା ପୁରସ୍କାର ରାଶି

Published By : Prameya-News7 Bureau | November 11, 2020 IST

କୋଣ୍ଡାଗାଉଁ ୧୧/୧୧: ଦିନେ ଲୋକଙ୍କୁ ମୃତ୍ୟୁର ରାସ୍ତା ଦେଖାଉଥିବା ଦୁର୍ଦ୍ଦାନ୍ତ ନକ୍ସଲ ଆଜି ପ୍ରେମର ଦୁନିଆରେ ଶାନ୍ତିର ପକ୍ଷୀ। ବିନା କାରଣରେ ନିରୀହ ଲୋକଙ୍କୁ ହତ୍ୟା କରି ପୋଲିସ୍‌ ଗୁଳିରେ ନିଜର ନାଁ ଲେଖିସାରିଥିବା ନକ୍ସଲ ଆଜି କେବଳ ନିଜ ପ୍ରେମିକା ସହ ବଞ୍ଚିବାକୁ ଇଚ୍ଛା କରିଛି। ଦିନେ ତା ମୁଣ୍ଡ ଉପରେ ଲାଗିଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି, କିନ୍ତୁ ଏବେ ନିଜକୁ ସମର୍ପି ଦେଇଛି ଆଇନ୍‌ ଆଗରେ।

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅଞ୍ଚଳରେ ସକ୍ରିୟ ମିଲିଟାରି କମ୍ପାନୀ ନମ୍ବର-୬ ପ୍ଳାଟୁନର ଡେପୁଟି କମାଣ୍ଡର ନାଗେଶ ଓରଫ ବୁଧରୁ ବେଞ୍ଜାମ। ନିଜ ଟିମ୍‌ର ସହଯୋଗୀ ଉର୍ମିଳା ଓରଫ ଶୁକମତି ସହ ନାଗେଶର ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ସାଥି ନକ୍ସଲମାନେ ଦୁଇ ପ୍ରେମ ପକ୍ଷୀକୁ ପ୍ରେମ ଦୁନିଆରେ ବିଚରଣ କରିବାରେ ବାଧା ସୃଷ୍ଟି କରିଥିଲେ। ତେବେ​‌ ଏ ସବୁଠୁ ଦୂରକୁ ଯାଇ କେଉଁ ଏକ ଅଜଣା ରାଇଜରେ ରହିବାକୁ ଚାହିଁଥିଲେ ଦୁଇ ନକ୍ସଲ ପ୍ରେମୀଯୁଗଳ।

କିନ୍ତୁ ସମାଜର ମୁଖ୍ୟସ୍ରୋତକୁ ଆସିବାକୁ ହେଲେ ସେମାନଙ୍କୁ ପ୍ରଥମେ ପୋଲିସ ଆଗରେ ବତ୍ମସମର୍ପଣ କରିବାକୁ ପଡ଼ିବ। ଏକଥା ସେମାନଙ୍କୁ ଭଲ ଭାବେ ଜଣାଥିଲା। ଦୁଇ ଜଣ ମିଶି କୋଣ୍ଡାଗାଉଁ ଏସପି ସିଦ୍ଧାର୍ଥ ତିଓ୍ବାରୀଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ୧୦ ନଭେମ୍ବରରେ ପୋଲିସ୍‌ ଆଗରେ ଆତ୍ମସର୍ପଣ କରିବା ପରେ ସେମାନେ ଏବେ ମୁକ୍ତ ଆକାଶର ବିହଙ୍ଗ ଭାବେ ବୁଲିପାରିବେ ବୋଲି ପୋଲିସ୍ କହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଦିନେ ସେମାନଙ୍କ ମୁଣ୍ଡ ଉପରେ ଲାଗିଥିଲା ୮-୮ ଲକ୍ଷ ଟଙ୍କାର ପୁରସ୍କାର ରାଶି। କିନ୍ତୁ ପ୍ରେମ ଆଜି ସେମାନଙ୍କୁ ଫେରାଇ ଦେଇଛି ସେମାନଙ୍କ ପୃଥିବୀ। ଏବେ ଦୁଇ ପ୍ରେମୀଯୁଗଳ ଘୁରି ବୁଲିବେ ମୁକ୍ତ ଆକାଶର ବିହଙ୍ଗ ପରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.