ଫେସବୁକରେ ଦୁଇ ବିବାହିତଙ୍କ ମଧ୍ୟରେ ହେଲା ପ୍ରେମ : ପ୍ରେମରୁ ପରିଣୟ ଓ ଶେଷରେ ଧୋକା

Published By : Prameya-News7 Bureau | October 16, 2018 IST

ଦୁର୍ଗ ୧୬/୧୦ : ଫେସବୁକରେ ଦୁଇଜଣ ବିବାହିତ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ହୋଇଥିଲା | ପରସ୍ପରକୁ ନିଜ ନିଜର ଟେଲିଫୋନ ନମ୍ବର ଦେଇ ଟେଲିଫୋନରେ କଥାବାର୍ତ୍ତା ଆରମ୍ଭ ହେଲା | ଏହାପରେ ବିବାହିତ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କୁ ଭେଟିବା ପାଇଁ ରାୟପୁର ଆସିଥିଲେ | ରାୟପୁରରେ ପୁରୁଷ ବନ୍ଧୁଙ୍କ ସହ ଦୁଇ ମାସ ରହିଥିଲେ | ଏବେ ପୁରୁଷ ବନ୍ଧୁ ତାଙ୍କୁ ପାଖରେ ରଖିବାକୁ ମନା କରିଦେଲେ | ଫଳରେ ସମ୍ପୃକ୍ତ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ | ପୋଲିସ ସମ୍ପୃକ୍ତ ବିବାହିତ ଯୁବକ ସଚିନ ହୁନ୍ଦକରକୁ ଗିରଫ କରିଛି | ସୂଚନାଯୋଗ୍ୟ ଯେ, ରାୟପୁରର ମଠପୁରେନାର ନିବାସୀ ସଚିନଙ୍କ ବୟସ ୩୫ ବର୍ଷ | ସେ ବିବାହିତ | ଫେସବୁକରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା | ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ରୂପାନ୍ତରିତ ହୋଇଥିଲା | ଦୁହେଁ ଫେସବୁକ ଅପେକ୍ଷା ଘଣ୍ଟା ଘଣ୍ଟା ଧରି ଫୋନରେ ବାର୍ତ୍ତାଳାପ କରୁଥିଲେ | କିଛି ଦିନ ପରେ ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ପରିବାର ଅଗୋଚରରେ ସଚିନଙ୍କୁ ଭେଟିବା ପାଇଁ ରାୟପୁର ଚାଲି ଆସିଥିଲେ | ସଚିନ ଏହି ମହିଳାଙ୍କୁ ରାୟପୁରର ସିମରନ ଷ୍ଟ୍ରିଟରେ ଥିବା ଏକ ଫ୍ଲାଟକୁ ନେଇଯାଇଥିଲେ | ସେଠାରେ ମହିଳାଙ୍କ ସହ ସଚିନ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ | ତେବେ ଏଥିରେ ମହିଳା ରାଜି ହୋଇନଥିଲେ | ଫଳରେ ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ସଚିନ କହିଥିଲେ ଯେ, ଏବେ ତ ବିବାହ ହୋଇଗଲା | ତେଣୁ ଶାରୀରିକ ସମ୍ପର୍କ ରକ୍ଷା କରିବାରେ ଅସୁବିଧା କ'ଣ ! ତଥାପି ମହିଳା ରାଜି ହୋଇନଥିଲେ | ସଚିନ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ | ଦୀର୍ଘ ୨ମାସ ଧରି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ସଚିନ ମହିଳାଙ୍କୁ ଆଉ ପାଖରେ ରଖିବାକୁ ଚାହିଁନଥିଲେ | ଫଳରେ ସମ୍ପୃକ୍ତ ମହିଳା ରାୟପୁର ମହିଳା ଥାନାରେ ପହଂଚି ସମସ୍ତ ଘଟଣା ବର୍ଣନା କରିଥିଲେ | ପୋଲିସ ସଚିନକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.