ଲଭ-ସେକ୍ସ-ଧୋକା : ପ୍ରେମରେ ଫସାଇ ଯୁବତୀଙ୍କୁ ଧରାଛୁଆଁ ଦେଉନାହାନ୍ତି ଏସ୍ଆଇ ବାବୁ, ନ୍ୟାୟ ପାଇଁ ବାର ଦୁଆର ଗର୍ଭବତୀ ପ୍ରେମିକା

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର ୦୭।୫ : ଖାକିରେ ପୁଣି ଲାଗିଛି ଦାଗ | । ଜଣେ ପୋଲିସ ଏସଆଇଙ୍କ ଦ୍ବାରା ନିର୍ଯାତିତ ହେବା ପରେ ନ୍ୟାୟ ନପାଇ ଯୁବତୀ ଜଣଙ୍କ ପ୍ରଥମେ କମିସନରେଟ ପୋଲିସର ମହିଳା ଥାନା ଓ ତାପରେ ପୋଲିସ କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି । ତଥାପି ପୀଡିତାଙ୍କ ଗୁହାରୀ ସୁଣିବାକୁ କାହାରି ପାଖରେ ସମୟ ନାହିଁ । କାରଣ ଏବେ ଲକଡାଉନ ସମୟରେ ସମସ୍ତେ ବ୍ୟସ୍ତ ।….

ଫୋନ୍‌ରେ ଚାଲିଛି କଥା କଟାକଟି । ଗୋଟିଏ ପଟେ କ୍ୟାପିଟାଲ୍ ଥାନାର ଜଣେ ଏସ୍‌ ଆଇ ଅନ୍ୟପଟେ ଜଣେ ଯୁବତୀ । ଏହି ଏସ୍‌ଆଇଙ୍କ ସହ ଯୁବତୀ ଜଣଙ୍କର ପ୍ରଥମେ ଫେସବୁକରେ ବନ୍ଧୁତା  ଓ ପରେ ପ୍ରେମ ହୋଇଥିଲା । ତେବେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ କାରଣରୁ ଯୁବତୀ ଅନ୍ତସତ୍ବା ହୋଇଥିଲେ । ଆଉ ତା ପରେ ବନ୍ଧୁକ ମୁନରେ ଗର୍ଭ ନଷ୍ଟ ପାଇଁ  କୁଆଡେ ଏସ୍‌ଆଇ ଜଣଙ୍କ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ । ନିର୍ଯାତନାର ଶିକାର ଯୁବତୀ ପ୍ରଥମେ ଏନେଇ ମହିଳା ଥାନାରେ ସେହି ଏସଆଇଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ମହିଳା ଥାନା ପକ୍ଷରୁ ପୀଡିତା ଓ ଏସଆଇଙ୍କ ପରିବାରକୁ ଡାକି ଏକ ଆପୋଷ ମିଳାମିଶା ସହ ଉଭୟଙ୍କ ମଧ୍ୟରେ ବିବାହ ପାଇଁ ସ୍ଥିର କରାଯାଇ ମହିଳା ଥାନାରେ ଏକ ଏଗ୍ରିମେଣ୍ଟ ଉଭୟ ପକ୍ଷରୁ କରାଯାଇଥିଲା । ହେଲେ ଏହି ଏଗ୍ରିମେଣ୍ଟ କପି ପାଇବା ପାଇଁ ପୀଡିତା ମହିଳା ଥାନାକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ଥାନା ଅଧିକାରୀ କରୋନାର ବାହାନା ଦେଖାଇ ଆଜି ପର୍ଯ୍ୟନ୍ତ ପୀଡିତାଙ୍କୁ କପି ଦେଇନଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏନେଇ ଯୁବତୀ ଜଣଙ୍କ ପୋଲିସ କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସଂପୃକ୍ତ ଏସଆଇ ଗତ ଏକମାସ ଧରି ନିଜ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ସେ କୁଆଡେ ଫେରାର ହୋଇଯାଇଥିବା କୁହାଯାଉଛି । ଖାଲି ସେତିକି ନୁହେଁ ପୀଡିତା ଅଭିଯୋଗ କରିଛନ୍ତି ଯେ ଏକ ଗାଡି କିଣାଇଦେବାକୁ କହି ସଂପୃକ୍ତ ଏସ୍‌ଆଇ ତାଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି । ଯେଉଁ ଦଲାଲକୁ ଆଣି ଏସଆଇ ଗାଡି କିଣିବାକୁ ପରିଚୟ କରାଇଥିଲେ ସେହି ଦଲାଲ ଗାଡିଚୋରି ଅଭିଯୋଗରେ ଏବେ ଜେଲରେ । ତାଙ୍କୁ ଶିଘ୍ର ନ୍ୟାୟ ପ୍ରଦାନ କରିବାକୁ ସଂପୃକ୍ତ ଯୁବତୀ ଦାବି କରିଛନ୍ତି ।

ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପୀଡିତାଙ୍କୁ କମିସନରେଟ ପୋଲିସ କି ନ୍ୟାୟ ଦେଉଛି ତାକୁ ଅପେକ୍ଷା କରାଯାଇଛି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.