ଡ୍ରାମାରୁ ପ୍ରେମ, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ... ଶେଷରେ ଜେଲ୍ ଗଲେ ଧୋକ୍କାବାଜ ପ୍ରେମିକ

Published By : Prameya-News7 Bureau | December 08, 2020 IST

ଚୌଦ୍ବାରା ୮।୧୨: ପୁଣି ଲଭ୍-ସେକ୍ସ-ଧୋକ୍କାର ସଙ୍ଗୀନ ଅଭିଯୋଗ । ପ୍ରଥମେ ପ୍ରେମ କଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ । ଶେଷରେ ପ୍ରତରଣା କରି ବନ୍ଧାହେଲେ ଧୋକ୍କାବାଜ ପ୍ରେମିକ । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଚୌଦ୍ବାର ଥାନା ଅଞ୍ଚଳରେ । ପୀଡିତା ଯୁବତୀ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ପୋଲିସ ଅଭିଯୁକ୍ତ ଶ୍ରୀନାଥ ସ୍ବାଇକୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ଚୌଦ୍ବାର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏହି ଅଞ୍ଚଳର ସଂପୃକ୍ତ ଯୁବତୀ ଜଣେ ଡ୍ରାମା କଳାକାର ଭାବେ କାମ କରନ୍ତି । ୨୦୧୭ ମସିହାରେ ଚୌଦ୍ବାର ଥାନା ନୂଆପାଟଣା ଗାଁକୁ ସେ ଏକ ଡ୍ରାମାରେ ଅଭିନୟ କରିବା ପାଇଁ ଯାଇଥିଲେ । ସେଠାରେ ସହ କଳାକାର ଭାବେ ଶ୍ରୀନାଥ ଅଭିନୟ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ବ ସୃଷ୍ଟି ହୋଇଥିଲା । ଏମିତି କଥାବାର୍ତ୍ତା ହେବା ପରେ ବନ୍ଧୁତ୍ବ ପ୍ରେମ ସଂପର୍କରେ ବଦଳିଯାଇଥିଲା । ଘର ଲୋକଙ୍କ ଅଜାଣତରେ ଉଭୟଙ୍କ ମଧ୍ୟରେ ସଂପର୍କ ଅତି ନିବିଡ ହୋଇଯାଇଥିଲା ।

ଏପରିକି ୨୦୧୯ ମସିହା ଅଗଷ୍ଟ ୧୧ ତାରିଖରେ ପୁରୀର ଏକ ମନ୍ଦିରରେ ଶ୍ରୀନାଥ ପୀଡ଼ିତା ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ । ସେଠାରେ ଉଭୟ ସାଥିହୋଇ ରହିଥିଲେ । କିଛି ଦିନ ପରେ ଉଭୟ ଘରକୁ ଫେରିଆସିଥିଲେ । ଯୁବତୀ ଜଣଙ୍କ ଚୌଦ୍ବାରରେ ରହୁଥିବାବେଳେ ଶ୍ରୀନାଥ ନିଜ ଘରେ ରହୁଥିଲେ । ମାତ୍ର ଉଭୟ ମଧ୍ୟରେ ଫୋନ୍ ରେ ଯୋଗାଯୋଗ ହେବା ସହ ଶ୍ରାନୀଥ ଯୁବତୀଙ୍କ ଘରକୁ ଯିବାଆସିବା କରୁଥିଲେ ।

ଏମିତି କିଥି ଦିନ ଚାଲିବା ପରେ ହଠାତ୍ ଯୁବତୀଙ୍କ ଫୋନ୍ ଉଠାଇଲେନି ଶ୍ରୀନାଥ । ଫୋନ୍ ନଉଠାଇବା ସହିତ ଯିବା ଆସିବା ବନ୍ଦ କରିଦେଇଥିଲେ । ଏହି ସମୟ ମଧ୍ୟରେ ପୀଡ଼ିତା ଖବର ପାଇଲେ ଯେ, ଶ୍ରୀନାଥ ଆସନ୍ତା ୯ ତାରିଖରେ ଅନ୍ୟତ୍ର ବିବାହ କରୁଛନ୍ତି । ପୀଡିତା ଜଣଙ୍କ ତାଙ୍କୁ ଯୋଗାଯୋଗ କରିବାରୁ ଟଙ୍କା ନେଇ ଚୁପ୍‌ ହୋଇ ରହିବୁ ନଚେତ୍‌ ମାରିଦେବୁ ବୋଲି ଧମକ ମିଳିଥିଲା ।

ଏହାପରେ ଯୁବତୀ ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଶ୍ରୀନାଥକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ପରେ ତାକୁ ଚୌଦ୍ବାର ଜେଲକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.