ଉତ୍ତରପ୍ରଦେଶରେ ‘ଲଭ୍‌ ଜିହାଦ୍‌’ ଉପରେ ନିୟମ ଲାଗୁ, ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରି, ଜାଣନ୍ତୁ ନୂଆ ଆଇନ୍‌ ସମ୍ପର୍କରେ

Published By : Prameya-News7 Bureau | November 28, 2020 IST

ଲକ୍ଷ୍ନୌ ୨୮/୧୧: ଉତ୍ତରପ୍ରଦେଶରେ ଲଭ୍‌ ଜିହାଦ ବିରୋଧରେ ରାଜ୍ୟ ସରକାର ପାସ୍‌ କରିଥିବା ଅଧ୍ୟାଦେଶକୁ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଶନିବାର ମଞ୍ଜୁରି ଦେଇଛନ୍ତି। ରାଜ୍ୟପାଳଙ୍କ ମଞ୍ଜୁରି ମିଳିବା ପରେ ଶନିବାରଠୁ ରାଜ୍ୟ​‌ରେ ନିୟମ ଲାଗୁ ହୋଇଛି। ୨୪ ନଭେମ୍ବରର ୟୁପି କ୍ୟାବିନେଟ ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶକୁ ମଞ୍ଜୁରି ଦେଇଥିଲା। ପରେ ଏହାକୁ ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା। ଅଧ୍ୟାଦେଶରେ ଧୋକା ଦେଇ ଧର୍ବ ପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।

ଏହା ସହ ସହମତିରେ ଧର୍ମ ପରିବର୍ତ୍ତନ କରିବାକୁ ହେଲେ ଦୁଇ ମାସ ପୂର୍ବରୁ ଜିଲ୍ଲାପାଳଙ୍କୁ ଏନେଇ ସୂଚନା ଦେବାକୁ ପଡ଼ିବ। ତେବେ ଲଭ୍‌ ଜିହାଦ ବିରୋଧରେ ଆଇନ୍‌ ଆଣିବାକୁ ବିହାର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ବିବାହ ପାଇଁ ଛଳନା, ପ୍ରଲୋଭନ ଦେଖାଇ ବଳପୂର୍ବକ ଧର୍ମ ପରିବର୍ତ୍ତନ କଲେ ଦୋଷୀକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବାକୁ ଥିବା ବେଳେ ଜରିମାନା ମଧ୍ୟ ଭରିବାକୁ ପଡ଼ିବ।

ତେବେ ବିବାହ ପାଇଁ ଛଳନା କରି ଧର୍ମ ପରିବର୍ତ୍ତନ କରିଥିବା କିମ୍ବା କରିବାକୁ ପ୍ରୋତ୍ସାହନ ଦେଇଥିବା ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ମିଳିବ। କୌଣସି ପ୍ରକାର ନିୟମର ଉଲ୍ଲଂଘନ କଲେ ଦୋଷୀଙ୍କୁ ୧ରୁ ୫ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧୫ ହଜାର ଟଙ୍କା ଜରିମାନା ଦେବାର ପ୍ରାବଧାନ ରହିଛି। ଅନ୍ୟପଟେ ନାବାଳିକା, ଏସସି ଓ ଏସ୍‌ଟି ମହିଳାଙ୍କ କ୍ଷେତ୍ରରେ ଏଭଳି ମାମଲା ସାମ୍ନାକୁ ଆସିଲେ ଅଭିଯୁକ୍ତଙ୍କୁ ୩-୧୦ ବର୍ଷ ଜେଲ୍‌ ଦଣ୍ଡ ହେବାକୁ ଥିବା ବେଳେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ନିୟମ ଅନୁସାରେ ଧର୍ବ ପରିବର୍ତ୍ତନ କରିବାକୁ ଇଛୁକ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଦୁଇ ମାସ ପୂର୍ବରୁ ନିର୍ଦ୍ଧିଷ୍ଟ ଫୋରମରେ ସୂଚନା ଦେବାକୁ ପଡ଼ିବ। ଅନୁମତି ମିଳିବା ପରେ ସେମାନେ ଧର୍ମ ପରିବର୍ତ୍ତନ କରିପାରିବେ। ତେବେ ଏଭଳି ନିୟମର ଉଲ୍ଲଂଘନ କଲେ ୬ ମାସରୁ-୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଥିବା ବେଳେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.