ପରକୀୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଫାଟ, ଶାଶୁଘରେ ପହଞ୍ଚିଲା ଭୁବନେଶ୍ୱର ପୋଲିସ୍

Published By : Prameya-News7 Bureau | March 07, 2021 IST

ଯାଜପୁର, ୦୭/୦୩: ବିବାହ ପରେ ପ୍ରେମିକାଙ୍କୁ ପ୍ରତାରଣା ଘଟଣା ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଓ ତିକ୍ତତା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ଦ୍ୱାରା ଝିଅ ପ୍ରତି ନିର୍ଯ୍ୟାତନା ଦିଆଯାଇଥିବା ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଭୁବନେଶ୍ୱର ମହିଳା ଥାନାରେ ଏନେଇ ଲିଖିତ ଅଭିଯୋଗ ହେବା ପରେ ପୋଲିସ୍ ପହଞ୍ଚି ଶାଶୁଘରୁ ସମସ୍ତ ଯୌତୁକ ସାମଗ୍ରୀ ଜବତ କରିବା ସହିତ ଏଗୁଡିକୁ ତାଙ୍କ ବାପଘର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଚୋରଦା ଛକ ନିକଟସ୍ଥ ବ୍ୟାସବିହାର ଅଞ୍ଚଳରେ । ସୂଚନା ମୁତାବକ ପ୍ରାୟ ଦୁଇବର୍ଷ ତଳେ ବ୍ୟାସବିହାର ଅଞ୍ଚଳର କୃପାସିନ୍ଧୁ ନାୟକଙ୍କ ପୁଅ ଶୁଭେନ୍ଦୁଙ୍କୁ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ୍ ଅଞ୍ଚଳର ସାତଷୋଳା ଗ୍ରାମର ମନୋଜ ସାହୁଙ୍କ ଝିଅ ନିହାରିକା ପ୍ରେମକରି ବୈଦିକ ରିତିନୀତିରେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ଶୁଭେନ୍ଦୁଙ୍କର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ଥିବା ନିହାରିକା ଜାଣିବାକୁ ପାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ରହିନଥିଲା । ଏପରିକି ଅଧିକ ଯୌତୁକ ଦାବିକରି ସ୍ୱୀମୀ ଓ ଶାଶୁଘର ସଦସ୍ୟ ବାରମ୍ବାର ନିହାରିକାଙ୍କୁ ନିର୍ଯ୍ୟାତନା ଦେଇଆସିଥିବା ସେ ଅଭିଯୋଗ କରିଛନ୍ତି ।

ଫଳରେ ସେ ଏହା ସହିନପାରି ଶାଶୁଘର ଛାଡି ବାପଘରକୁ ପଳାଇଯାଇଥିଲେ । ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଏହି ଥାନାରୁ କୌଣସି ନ୍ୟାୟ ନମିଳିବାରୁ ସେ ଅଦାଲତର ଆଶ୍ରୟ ନେଇଥିବା ଜଣାପଡିଛି ।

ତେବେ ନିକଟରେ ଏନେଇ ସେ ଭୁବନେଶ୍ୱରର ମହିଳା ଥାନାର ଦ୍ୱାରସ୍ଥ ହେବାପରେ ମହିଳା ଥାନା ପୋଲିସ୍ ତାଙ୍କ ଶାଶୁଘରେ ପହଞ୍ଚି ସମସ୍ତ ଯାନି ଯୌତୁକ ସାମଗ୍ରୀ ଜବତ କରିଛି । ଏଥିସହ ପୋଲିସ୍ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।

ତେବେ ଯୌତୁକରେ ଦିଆଯାଇଥିବା ୧୦ଲକ୍ଷ ଟଙ୍କାର ଏକ ବଣ୍ଡ ଏବଂ ପ୍ରାୟ ୩୦ ଭରିରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ନିହାରିକାଙ୍କ ପରିବାର ଦାବି କରିଥିଲେ ହେଁ ଏହାର କୌଣସି ସନ୍ଧାନ ମିଳିନଥିଲା ।

ଅନ୍ୟପଟେ ଶାଶୁଘର ଲୋକ ନିହାରିକା ଏବଂ ତାଙ୍କ ପରିବାର ସେମାନଙ୍କ ନାମରେ କରିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । ସେମାନେ ଏଭଳି ପରିସ୍ଥିତି ପାଇଁ ନିହାରିକାଙ୍କୁ ଦାୟୀ କରିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.