ଭାଙ୍ଗିଲା ୨୫୦ବର୍ଷର ଶ୍ରୀମନ୍ଦିର ପରମ୍ପରା ; ହେଲାନାହିଁ ପତିତପାବନଙ୍କ ପଦ୍ମବେଶ

Published By : Prameya-News7 Bureau | February 08, 2019 IST

ପୁରୀ ୮|୨: ପୁରୀ ଶ୍ରୀମନ୍ଦିରରେ ୨୫୦ବର୍ଷର ପରମ୍ପରା ଭଙ୍ଗ ହୋଇଛି । ପତିତପାବନଙ୍କ ପଦ୍ମବେଶ ହୋଇନାହିଁ । ବଡଦେଉଳ ସିଂହଦ୍ବାର ଗୁମୁଟରେ ବିଜେ ପତିତପାବନଙ୍କୁ ଉପେକ୍ଷା କରାଯାଇଛି । ପ୍ରତିଷ୍ଠା ପରଠାରୁ ପତିତପାବନଙ୍କ ପଦ୍ମବେଶ ଦର୍ଶନ ସୁଯୋଗ ଭକ୍ତ ପାଉଥିଲେ । ପତିତପାବନଙ୍କ  ପ୍ରତିଷ୍ଠାର ଅଢେଇ ଶହ ବର୍ଷ ପରେ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।

ମାଘମାସ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ପ୍ରଥମ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ । ଗତ ୬ତାରିଖରେ ରତ୍ନସିଂହାସନ ବିଜେ ଚତୁର୍ଦ୍ଧାମୁର୍ତ୍ତି ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଚତୁର୍ଦ୍ଧାମୁର୍ତ୍ତିଙ୍କ ସହ ସିଂହଦ୍ବାର ଗୁମୁଟରେ ବିଜେ ପତିତପାବନଙ୍କର ମଧ୍ୟ ଏହି ଦିନ ପଦ୍ମବେଶ ହେବାର ପରମ୍ପରା ରହିଛି ।

ଚଳିତବର୍ଷ କିନ୍ତୁ ଏହି ପରମ୍ପରା ଭାଙ୍ଗି ଯାଇଛି । ପରମ୍ପରା ମୁତାବକ ବଡଛତା ମଠ ଏହି ବେଶ ଲାଗି ସାମଗ୍ରୀ ଯୋଗାଇଥାଏ । ତେବେ ଠିକଣା ସମୟରେ ଏହି ସାମଗ୍ରୀ ନପହଞ୍ଚିବାରୁ ପତିତପାବନଙ୍କ ପଦ୍ମବେଶ ହୋଇ ପାରିନଥିବା ଶ୍ରୀମନ୍ଦିର ପ୍ରଶାସନ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.